ନିଆଁ ଜାଳି ଦେଲା ମେଧାବୀ ଛାତ୍ରଙ୍କ ସ୍ୱପ୍ନ । ତାଇୱାନ ଯାଇ ଗବେଷଣା କରିବା ଆଗରୁ ଘରେ ଲାଗିଗଲା ନିଆଁ । ଜଳି ପୋଡି ପାଉଁଶ ହୋଇଗଲା ସବୁ କାଗଜ ପତ୍ର ।

176

କନକ ବ୍ୟୁରୋ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ସବୁକିଛି । ଆଉ ଦିନ କେଇଟା ପରେ ବିଦେଶ ଯିବାକୁ ପ୍ରସ୍ତୁତି ହେଉଥିଲେ ମେଧାବୀ ଛାତ୍ର ଅଜିତେଶ ଧଳ । କିନ୍ତୁ ଗତକାଲି ସନ୍ଧ୍ୟାରେ ଯାଜପୁର ତାଉଁତରା ଗାଁରେ ହୋଇଥିବା ଅଗ୍ନିକାଣ୍ଡରେ ସବୁ କିଛି ଛାରଖାର ହୋଇଯାଇଛି । ଏପରିକି ମୁଣ୍ଡ ଗୁଂଜିବାକୁ ଜାଗା ଟିକେ ନାହିଁ । ଅଜିତେଶ ତାଇୱାନ ଯିବା ପାଇଁ ରଖିଥିବା ସବୁ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି ।

ଅଜିତେଶ ଆସନ୍ତା ୩୦ ତାରିଖରେ ତାଇୱାନ ଅଭିମୁଖେ ଗବେଷଣା କରିବା ପାଇଁ ବାହାରିବେ । କିନ୍ତୁ ଏଥିପାଇଁ ଆବଶ୍ୟକ କାଗଜପତ୍ର ସବୁ ପୋଡି ପାଉଁଶ ଯାଇଥିବାରୁ ତାଇୱାନ ଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନର ସହଯୋଗ କାମନା କରିଛିନ୍ତି ପରିବାର ଲୋକେ । କାଲି ସନ୍ଧ୍ୟାରେ ତାଉଁତରା ଗାଁର ଧଳସାହୀରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୮ ବଖରା ଘର ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ ।

ଅଗ୍ନିବିପନ୍ନ ପରିବାର ସର୍ବସ୍ୱ ହରାଇ ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି । ଅଜିତେଶଙ୍କ ପରିବାର ମୁଣ୍ଡ ଗୁଂଜିବାକୁ ଜାଗା ନାହିଁ । ଆଜି ତହସିଲ ପ୍ରଶାସନ ପକ୍ଷରୁ ଅଗ୍ନିବିପନ୍ନ ପରିବାରକୁ ଭେଟି ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି । ପ୍ରତିକୂଳ ପରିବେଶ ଭିତରେ ଅଜିତେଶ ଅଧିକ ଗବେଷଣା ପାଇଁ ତାଇୱାନ ଯିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏତିକି ବେଳେ ଏଭଳି ବିପଦ ଜିଲ୍ଲା ପ୍ରଶାସନର ସହଯୋଗ କାମନା କରିଛନ୍ତି ମେଧାବୀ ଛାତ୍ର ।