ଆଉ ବାରମ୍ବାର ଦୌଡିବାକୁ ପଡିବ ନାହିଁ ଟିକେଟ କାଉଣ୍ଟରକୁ । ଖୁବଶୀଘ୍ର କାର୍ଯ୍ୟକାରୀ ହେବ ନୂଆ ନିୟମ, ଏଣିକି ସବୁ ବିଭାଗ ପାଇଁ ଗୋଟିଏ ଟିକେଟର ହେବ ବ୍ୟବସ୍ଥା

223

କନକ ବ୍ୟୁରୋ : ଏସ୍‌ସିବିରେ ଆଗକୁ ଲାଗୁ ହେବାକୁ ଯାଉଛି ନୂଆ ବ୍ୟବସ୍ଥା। ବ୍ୟବସ୍ଥା ଲାଗୁ କରାଯିବା ପରେ ଆଉ ସବୁ ବିଭାଗ ପାଇଁ ଅଲଗା ଅଲଗା ଟି‌କଟ୍‌ କାଟିବାକୁ ପଡ଼ିବନି। ଓପିଡି ପାଇଁ ଗୋଟିଏ ଟିକଟ୍‌ କାଟିଲେ ରୋଗୀ ସବୁ ବିଭାଗରେ ଏହି ଟିକଟ୍‌ ଦେଖାଇ ଡାକ୍ତରଙ୍କ ପରାମର୍ଶ ନେଇପାରିବେ। କେବଳ ସେତିକି ନୁହେଁ, ଉକ୍ତ ଟିକଟ୍‌ର ବୈଧତା ମଧ୍ୟ ଏକମାସ ରହିବ। ଯାହାଫଳରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀମାନେ ପରବର୍ତ୍ତୀ ଚିକିତ୍ସା ପାଇଁ ୭ଦିନ ବା ୧୫ଦିନ ପରେ ଆସିଲେ ସେଥିପାଇଁ ଆଉ ଥରେ ଟିକଟ୍‌ କାଟିବାକୁ ପଡ଼ିବ ନାହିଁ। ମାସେ ପର୍ଯ୍ୟନ୍ତ ସେହି ପୁରୁଣା ଟିକଟ୍‌ରେ ରୋଗୀ ଡାକ୍ତରଙ୍କୁ ଦେଖାଇ ପରାମର୍ଶ ନେଇ ପାରିବେ। ଏହି ନୂଆ ବ୍ୟବସ୍ଥା ଖୁବ୍‌ଶୀଘ୍ର ଏସ୍‌ସିବିରେ ଆରମ୍ଭ କରାଯିବ ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ କାନ୍ତ ସାହୁ ସୂଚନା ଦେଇଛନ୍ତି। ଏ ସଂପର୍କରେ ପ୍ରସ୍ତାବ ଡିଏମ୍‌ଇଟିଙ୍କ ପାଖକୁ ଯାଇଛି, ସେଠାରୁ ମଂଜୁରୀ ମି‌ଳିବା ପରେ ଏହାକୁ ଏସ୍‌ସିବିରେ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି।

କଟକ ବଡ଼ ଡାକ୍ତରଖାନାକୁ ପ୍ରତ୍ୟେହ ରାଜ୍ୟ ତଥା ରାଜ୍ୟ ବାହାରୁ ୮ହଜାରରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଓପିଡିରେ ରୋଗୀ ଡାକ୍ତରଙ୍କୁ ଦେଖାଇବା ପାଇଁ କାଉଣ୍ଟରରୁ ଟିକଟ୍‌ ନେଇଥା’ନ୍ତି। ‌ତେବେ, ଯଦି ଜଣେ ରୋଗୀ ଗୋଟିଏ ବିଭାଗ ପାଇଁ ଟିକଟ୍‌ କାଟିଛନ୍ତି, ତା’ହେଲେ ସେ ସେଇ ଟିକଟରେ ଅନ୍ୟ ବିଭାଗରେ ଦେଖାଇପାରିବେ ନାହିଁ। ଅନ୍ୟ ବିଭାଗରେ ଦେଖାଇବାକୁ ଦରକାର ଥିଲେ ସେଥିପାଇଁ ପୁଣି କାଉଣ୍ଟରକୁ ଯାଉ ଉକ୍ତ ବିଭାଗର ଟିକଟ୍‌ ନେବାକୁ ପଡ଼ିବ। ରୋଗୀ ଯେତୋଟି ବିଭାଗରେ ଦେଖାଇବାକୁ ଦରକାର ଥିବ ସେତୋଟି ବିଭାଗ ପାଇଁ ପୃଥକ୍‌ ପୃଥକ୍‌ ଟିକଟ ନେବାକୁ ପଡ଼ୁଥିଲା। କିନ୍ତୁ, ବର୍ତ୍ତମାନ ଆଉ ସେ ଅସୁବିଧା ରହିବ ନାହିଁ। ଏସ୍‌ସିବି କର୍ତ୍ତୃପକ୍ଷ ନେଇଥିବା ନୂଆ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ରୋଗୀ ଓ ସଂପର୍କୀୟଙ୍କୁ ଆଉ ଟିକଟ୍‌ ପାଇଁ ବାରମ୍ବାର କାଉଣ୍ଟରକୁ ଦୌଡିବାକୁ ପଡିବନି କି ଲମ୍ବା ଲାଇନ୍‌ରେ ବାରମ୍ବାର ଛିଡ଼ା ହେବାକୁ ପଡ଼ିବନି।

ଗୋଟିଏ ଟିକଟରେ ମାସକ ଭିତରେ ଯେତେଥର ଆବଶ୍ୟକ ହେବ ରୋଗୀ ସେତେଥର ଦେଖାଇ ପାରିବେ। ସୂଚନାଯୋଗ୍ୟ, ଏସ୍‌ସିବି ଓପିଡିରେ ଦେଖାଇବା ପାଇଁ ରୋଗୀଙ୍କୁ କାଉଣ୍ଟର ପାଖରେ ଲମ୍ବା ଲାଇନ୍‌ରେ ଛିଡା ହେବାକୁ ପଡ଼ିଥାଏ। ଅନେକ ସମୟରେ ଏଭଳି ପରିସ୍ଥିତି ଉପୁଜିଥାଏ ଯେ, ରୋଗୀ ଟିକଟ୍‌ ନେଇ ଡାକ୍ତରଙ୍କ ପାଖରେ ପହଞ୍ଚିବା ବେଳକୁ ଓପିଡି ସରିଯାଇଥାଏ। ନୂଆ ବ୍ୟବସ୍ଥା ଲାଗୁ ହେଲେ ରୋଗୀ ଓ ସଂପର୍କୀୟଙ୍କୁ ସେ ଯନ୍ତ୍ରଣାରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି।

Comments are closed.