ବାଲୁଖଣ୍ଡ ଅଭୟାରଣ୍ୟରୁ ଆସିଲା ବଡ଼ ଖବର: ସୁରକ୍ଷତି ଅଛନ୍ତି ସମସ୍ତ ଚିତ୍ରା ହରିଣ, ପାଣି ପିଇବାକୁ ଆସୁଥିବା ବେଳେ ଭିଡିଓ ରେକର୍ଡ

ପିସିସିଏଫ କହିଲେ, ଡ୍ରୋନ ଖୋଜିବ ହରିଣଙ୍କ ନିର୍ଦ୍ଦିଷ୍ଟ ଠିକଣା

291

କନକ ବ୍ୟୁରୋ: ବାଲୁଖଣ୍ଡ ଅଭୟାରଣ୍ୟରୁ ଆସିଲା ବଡ ଖବର । ଏଠାରେ ରହୁଥିବା ପ୍ରାୟ ୪ ହଜାର ଚିତ୍ରା ହରିଣ ସୁରକ୍ଷିତ ଅଛନ୍ତି ବୋଲି କହିଛନ୍ତି ପିସିସିଏଫ । ଫୋନି ପରେ ହରିଣ କୁଆଡେ ଗଲେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ଏହାକୁ ନେଇ ଆଜି ସ୍ପଷ୍ଟ କରିଛନ୍ତି ପିସିସିଏଫ । ସେ କହିଛନ୍ତି, ପାଣି ପିଇବାକୁ ଆସୁଥିବାବେଳେ ସେମାନଙ୍କ ଭିଡିଓ ରେକର୍ଡିଂ କରାଯାଇଛି । ତେବେ ସେମାନେ ନିର୍ଦ୍ଦିଷ୍ଟ କେଉଁ ଅଂଚଳରେ ରହୁଛନ୍ତି ତାହା ଜାଣିବାକୁ ଡ୍ରୋନ କ୍ୟାମେରାର ସହାୟତା ନିଆଯିବ ।

ଗତ ୩ ତାରିଖରେ ହୋଇଥିବା ପ୍ରଳୟଙ୍କାରୀ ବାତ୍ୟା ଫୋନିରେ ଛାରଖାର ହୋଇଯାଇଛି ବାଲୁଖଣ୍ଡ ଅଭୟାରଣ୍ୟ । ଯେଉଁଥିରେ ଏଠାରେ ଥିବା ୪ ହଜାରରୁ ଅଧିକ ଚିତ୍ରା ହରିଣଙ୍କ ଖୋଜ ଖବର ମିଳି ନଥିଲା । ପବନ ଉଡାଇନେଲା ନା ମାଟିରେ ମିଶିଗଲେ ତା ନେଇ କୌଣସି ସନ୍ତୋଷଜନକ ଉତର ଦେଇପାରୁନଥିଲେ ଫରେଷ୍ଟର ।

ଏପରିକି ନିଖୋଜ ଥିବା ଚିତ୍ରା ହରିଣମାନଙ୍କୁ ଖୋଜିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ପିସିସିଏଫ । ଆଉ ହରିଣମାନଙ୍କୁ ଖୋଜିବା ପାଇଁ ୧୦ଟି ଟିମ ମଧ୍ୟ ଗଠନ ହୋଇଥିଲା । ତେବେ ବାତ୍ୟା ପରଠୁ ନିଖୋଜ ଥିବା ଏହି ହରିଣମାନେ ସୁରକ୍ଷିତ ଥିବା ନେଇ ଆଜି ସ୍ପଷ୍ଟ ହୋଇଛି । ପାଣି ପିଇବାକୁ ଆସୁଥିବାବେଳେ ସେମାନଙ୍କର ଭିଡିଓ ରେକର୍ଡିଂ କରାଯାଇଛି ବୋଲି କହିଛନ୍ତି ପିସିସିଏଫ ।