ବାଲୁଖଣ୍ଡ ଅଭୟାରଣ୍ୟରୁ ଆସିଲା ବଡ ଖବର । ସୁରକ୍ଷିତ ଅଛନ୍ତି ଚିତ୍ରା ହରିଣ, ପାଣି ପିଇବାକୁ ଆସୁଥିବା ବେଳେ ରେକର୍ଡିଂ ହେଲା ଭିଡିଓ ।

208

କନକ ବ୍ୟୁରୋ : ବାଲୁଖଣ୍ଡ ଅଭୟାରଣ୍ୟରୁ ଆସିଲା ବଡ ଖବର । ସୁରକ୍ଷିତ ଅଛନ୍ତି ଚିତ୍ରା ହରିଣ । ବାତ୍ୟା ଫୋନି ପରେ ଚିତ୍ରା ହରିଣ କୁଆଡେ ଗଲେ ବୋଲି ପ୍ରଶ୍ନର ପାହାଡ ଛିଡା ହୋଇଥିଲା । ଆଉ ଆଜି ଚିତ୍ରା ହରିଣ ସୁରକ୍ଷିତ ଅଛନ୍ତି ବୋଲି ମୁହଁ ଖୋଲିଛନ୍ତି ପିସିସିଏଫ୍ । ପାଣି ପିଇବାକୁ ଆସିଥୁବା ବେଳେ ସେମାନଙ୍କ ଭିଡିଓ ରେକର୍ଡିଂ କରାଯାଇଥିବା କହିଛନ୍ତି ପିସିସିଏଫ । ତେବେ ସେମାନେ ନିର୍ଦ୍ଦିଷ୍ଟ କେଉଁ ଅଞ୍ଚଳରେ ରହୁଛନ୍ତି ତାହା ଜାଣିବାକୁ ଡ୍ରୋନ କ୍ୟାମେରାର ସହାୟତା ନିଆଯିବ ।

ଗତ ୩ ତାରିଖରେ ପ୍ରଳୟଙ୍କାରୀ ବାତ୍ୟା ଫୋନିର ପ୍ରହାରରେ ଛାରଖାର ହୋଇଯାଇଥିଲା ବାଲୁଖଣ୍ଡ ଅଭୟାରଣ୍ୟ । ସବୁଜିମାରେ ପରିପୂର୍ଣ୍ଣ ଥିବା ବାଲୁଖଣ୍ଡ ଅଭୟାରଣ୍ୟ ବାତ୍ୟା ଫୋନି ପରେ ସବୁଜିମା ହରାଇଥିଲା । ଏପରିକି ଏଠାରେ ଥିବା ୪ ହଜାରରୁ ଅଧିକ ଚିତ୍ରା ହରିଣଙ୍କ ଖୋଜ ଖବର ମିଳିନଥିଲା । ଏପରିକି ହରିଣ କୁଆଡେ ଗଲେ ସେନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଫରେଷ୍ଟର ।

ଆଉ ଏହାପରେ ଚିତ୍ରା ହରିଣଙ୍କୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା । ବାତ୍ୟା ପରେ ନିଖୋଜ ଥିବା ଚିତ୍ରା ହରିଣମାନଙ୍କୁ ଖୋଜିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ପିସିସିଏଫ । ହରିଣମାନଙ୍କୁ ଖୋଜିବା ପାଇଁ ୧୦ଟି ଟିମ ମଧ୍ୟ ଗଠନ ହୋଇଥିଲା । ତେବେ ବାତ୍ୟା ପରଠୁ ନିଖୋଜ ଥିବା ଏହି ହରିଣମାନେ ସୁରକ୍ଷିତ ଥିବା ନେଇ ଆଜି ସ୍ପଷ୍ଟ ହୋଇଛି । ପାଣି ପିଇବାକୁ ଆସୁଥିବାବେଳେ ସେମାନଙ୍କର ଭିଡିଓ ରେକର୍ଡିଂ କରାଯାଇଛି ବୋଲି କହିଛନ୍ତି ପିସିସିଏଫ ।