ସୋମବାରଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ପାଠପଢା ବନ୍ଦ : ପରୀକ୍ଷା ବି ହେଲା ବାତିଲ, ୧୯ତାରିଖ ସୁଦ୍ଧା ସବୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ

ସେପଟେ ଆଇସିଏସ୍ଇ ବୋର୍ଡ ପରୀକ୍ଷା ବି ରହିଲା ସ୍ଥଗିତ

213

କନକ ବ୍ୟୁରୋ : ସୋମବାରଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜର ପରୀକ୍ଷା ଓ ଅଫଲାଇନ ପାଠପଢା ବାତିଲ କରାଯାଇଛି । ଏନେଇ ସବୁ କୁଳପତି ଓ ଅଧ୍ୟକ୍ଷମାନଙ୍କୁ ନୋଟିସ କରାଯାଇଛି । କୁଳପତି ଓ ଅଧ୍ୟକ୍ଷମାନଙ୍କ ସହ ଆଲୋଚନା ପରେ ପରୀକ୍ଷା ସମ୍ପର୍କରେ ଘୋଷଣା କରାଯିବ । ୧୯ତାରିଖ ସୁଦ୍ଧା ସବୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଠିକ୍ ସମୟରେ ସିଲାବସ ଶେଷ କରିବା ପାଇଁ ଅନଲାଇନରେ କ୍ଲାସ କରାଯିବାକୁ କୁହାଯାଇଛି । ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନରେ ୫୦ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ନେଇ ଚାଲିବ । ରୋଟେସନ ଭିତିରେ ଅଫିସ, ଏକାଡେମିକ ଓ ପ୍ରଶାସନିକ କାର୍ଯ୍ୟ ହେବ । ଶିକ୍ଷକମାନେ ଅନଲାଇନରେ କ୍ଲାସ ନେବେ ।

ଯେଉଁମାନେ ଅଫିସ ଆସିବେ ନାହିଁ ସେମାନେ ଘରେ ରହି କାମ କରିବେ । ସେପଟେ ସିବିଏସଇ ପରେ ଆଇସିଏସଇ ମଧ୍ୟ ଉଭୟ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛି । ଜୁନ୍ ପ୍ରଥମ ସପ୍ତାହରେ କରୋନା ସ୍ଥିତି ନେଇ ସମୀକ୍ଷା ପରେ ପରବର୍ତୀ ନିଷ୍ପତି ନିଆଯିବ ବୋଲି ଆଇସିଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

ଆଇଏସ୍‌ସି ପରୀକ୍ଷା ଗତ ୮ ତାରିଖରୁ ଆରମ୍ଭ ହୋଇଥିଲା। ବାକି ଥିବା ବିଷୟଗୁଡ଼ିକର ପରୀକ୍ଷା ସ୍ଥଗିତ ରଖାଗଲା । ପରବର୍ତୀ ସମୟରେ ଅନୁଷ୍ଠିତ ହେବ । ମେ’ ୪ରୁ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଦୁଇଟି ବିକଳ୍ପ ଦିଆଯିବ । ସେମାନେ ଚାହିଁଲେ ଦ୍ବାଦଶ ଶ୍ରେଣୀ ପିଲାଙ୍କ ସହ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ । ନ ହେଲେ ସିଆଇଏସ୍‌ସିଇ ଦ୍ବାରା ପ୍ରସ୍ତୁତ ଏକ ବିକଳ୍ପ ବ୍ୟବସ୍ଥା ଦ୍ବାରା ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ। ଛାତ୍ରଛାତ୍ରୀ ଦୁଇଟିରୁ ଯେକୌଣସି ଗୋଟିଏ ପ୍ରସ୍ତାବକୁ ଗ୍ରହଣ କରିପାରିବେ ।