ସୁରଟରେ ଟ୍ୟୁସନ୍ କ୍ଲାସରେ ଭୟାବହ ଅଗ୍ନିକାଣ୍ଡରେ ୧୯ ଛାତ୍ରଛାତ୍ରୀଙ୍କ ମୃତ୍ୟୁ । ସହରର ସମସ୍ତ କୋଚିଂ ସେଣ୍ଟର ବନ୍ଦ କରିବାକୁ ନିର୍ଦ୍ଦେଶ

697

ସୁରଟ ତକ୍ଷଶିଳା କମପ୍ଲେକ୍ସରେ ଭୀଷଣ ଅଗ୍ନିକାଣ୍ଡରେ ୧୯ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଏହି ଦୁଃଖଦାୟକ ଘଟଣା ପରେ ଅହମ୍ମଦାବାଦ ସହରରେ ଥିବା ସମସ୍ତ ଟ୍ୟୁସନ୍ କ୍ଲାସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅହମ୍ମଦାବାଦ ମ୍ୟୁନିସାପାଲ କର୍ପୋରେସନ ।

ତକ୍ଷଶିଳା କମପ୍ଲେକ୍ସରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଅଗ୍ନିକାଣ୍ଡରୁ ବଞ୍ଚିବା ପାଇଁ ଛାତ୍ରଛାତ୍ରୀ ମାନେ ଚାରି ମହଲା ଉପରୁ ତଳକୁ ଡେଉଁଥିବାର ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଏହାକୁ ଆୟତ୍ତ କରିବା ପାଇଁ ୧୯ରୁ ଅଧିକ ଦମକଳ ଗାଡି ଲାଗିଥିଲା ।

ଅହମ୍ମଦାବାଦର କମିଶନର ବିଜୟ ନେହେରା କହିଛନ୍ତି, ଏଭଳି ଦୁର୍ଘଟଣାରୁ ରକ୍ଷା ପାଇବାକୁ ହେଲେ ଓ ଅନ୍ୟ ମାନଙ୍କର ଜୀବନ ରକ୍ଷା କରିବାକୁ ହେଲେ କିଛି କଡା ନିଷ୍ପତି ନେବା ଆବଶ୍ୟକ । ତେଣୁ ସହରରେ ଥିବା ସମସ୍ତ ଟ୍ୟୁସନ୍ କ୍ଲାସକୁ ସାମୟିକ ସମୟ ପାଇଁ ବନ୍ଦ କରିବାକୁ ପଡିବ । ଏଭଳି ଦୁଃଖଦ ଘଟଣାର ଏବେ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ ପ୍ରମୁଖ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ।