କରୋନା ମୁକାବିଲା: ରାଜ୍ୟର ସମସ୍ତ କୋଚିଂ ସେଣ୍ଟର ବନ୍ଦ ନିର୍ଦ୍ଦେଶ ପରେ ପିଲାଙ୍କୁ ନପଠାଇବାକୁ ଅଭିଭାବକଙ୍କୁ ରାଜ୍ୟ ସରକାରଙ୍କ ପରାମର୍ଶ । ଆଜିଠୁ କୋଚିଂ ସେଣ୍ଟର ଉପରେ କଡ଼ା ନଜର ରଖିବେ ଅଧିକାରୀ ।

484

କନକ ବ୍ୟୁରୋ: ରାଜ୍ୟର ସମସ୍ତ କୋଚିଂ ସେଣ୍ଟର ଏବଂ ଟିଉସନ୍ ସେଣ୍ଟର ଉପରେ ସରକାରଙ୍କ କଡ଼ା ନଜର । ଆଜିଠାରୁ ସମସ୍ତ କୋଚିଂ ଓ ଟିଉସନ୍ ସେଣ୍ଟର ଉପର ନଜର ରଖିବେ ସରକାରୀ ଅଧିକାରୀ । ପୂର୍ବରୁ କରୋନାର ଭୟାବହତା ଦେଖି କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି କୋଚିଂ ସେଣ୍ଟର ବନ୍ଦ ନିର୍ଦ୍ଦେଶ ପରେ ପିଲାଙ୍କୁ କୋଚିଂ ସେଣ୍ଟର କିମ୍ବା ଟିଉସନ୍ ନପଠାଇବାକୁ ଅଭିଭାବକଙ୍କୁ ରାଜ୍ୟ ସରକାରଙ୍କ ପରାମର୍ଶ ଦେଇଛନ୍ତି । ତେବେ ନିର୍ଦ୍ଦେଶକୁ କୋଚିଂ ସେଣ୍ଟର କର୍ତ୍ତୁପକ୍ଷ ପାଳନ କରୁଛନ୍ତି କି ନାହିଁ ତା’ ଉପରେ କଡା ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଓଡ଼ିଶାରେ ଥିବା ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କ୍ଲାସକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ସେମିନାର, ୱାର୍କସପ୍ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ୪୮ ଘଂଟା ମଧ୍ୟରେ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖୋଲାରହିବ । କେବଳ ଶିକ୍ଷକ ଓ କର୍ମଚାରୀମାନେ ଆସିବେ ।

ଅନ୍ୟପଟେ ସେପଟେ ସ୍କୁଲ, କଲେଜ ଓ ସିନେମା ହଲ ବନ୍ଦ କରାଯାଇଥିବା ବେଳେ ସପିଂ ମଲ୍କୁ ବନ୍ଦ କରାଯିବ ନାହିଁ ବୋଲି ନିଷ୍ପତି ନିଆଯାଇଛି । ତେବେ ଟୁଇନ୍ ସିଟିର ମଲଗୁଡିକ ପାଇଁ ଆଡଭାଇଜରି ଜାରି କରିଛି କମିସନରେଟ୍ ପୋଲିସ । ଉଭୟ ଗ୍ରାହକ ଓ ମଲ୍ ମାଲିକଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ସପିଂ ମଲ୍କୁ ଅଧିକ ଗ୍ରାହକ ନ ଯିବାକୁ ପରାମର୍ଶ ଦିଆଯାଇଛି । ଗ୍ରାହକଙ୍କୁ ପରସ୍ପର ଭିତରେ ୬ ଫୁଟ ଦୂରତା ରଖିବାକୁ କୁହାଯାଇଛି । ସେଲ୍ ପ୍ରମୋସନ୍ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି । ମଲ୍ ଭିତରେ ଆଲକୋହଲ୍ ଯୁକ୍ତ ସାନିଟାଇଜର୍ ରଖିବାକୁ କୁହାଯାଇଛି । ବିକ୍ରେତାମାନେ ମାସ୍କ ବ୍ୟବହାର କରିବା ସହ ହାତ ସଫା ରଖିବାକୁ ପରାମର୍ଶ ଦିଆଯାଇଛି ।