କରୋନାକୁ ‘ମହାମାରୀ’ ଘୋଷଣା କଲେ ଦିଲ୍ଲୀ ସରକାର । ୩୧ ମାର୍ଚ୍ଚ ଯାଏଁ ବନ୍ଦ ରହିବ ସମସ୍ତ ସିନେମା ହଲ । ପରୀକ୍ଷା ସରିଥିଲେ ସ୍କୁଲ-କଲେଜ ବି ଛୁଟି

1,138

କନକ ବ୍ୟୁରୋ: ଦିନକୁ ଦିନ ଭୟଙ୍କର ହେଉଛି କରୋନା ଭାଇରସ । ଚୀନରୁ ବ୍ୟାପିଥିବା କରୋନା ଏବେ ସାରା ବିଶ୍ୱକୁ କବଜା କରିବାକୁ ବସିଲାଣି । ତେବେ ଭୂତାଣୁର ଭୟାବହତା ଦେଖି ଗତକାଲି କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଆଉ ଏହାକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀ ସରକାର ବି କରୋନାକୁ ମହାମାରୀ ଘୋଷଣା କରି ବଡ ପ୍ରତିଶେଧମୂଳକ ପଦକ୍ଷେପ ନେଇଛନ୍ତି ।

ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ସିନେମା ହଲକୁ ବନ୍ଦ ଘୋଷଣା କରିଛନ୍ତି । ରାଜଧାନୀର ସବୁ ସିନେମା ହଲକୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଷ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିଭଳି ମାର୍ଚ୍ଚ ୩୧ ଯାଏଁ ବି ସମସ୍ତ ସ୍କୁଲକୁ ବନ୍ଦ ପାଇଁ ଘୋଷଣା କରାଯାଇଛି । ଯେଉଁ ବିଦ୍ୟାଳୟ ଗୁଡିକରେ ପରୀକ୍ଷା ସରି ଯାଇଥିବ ସେସବୁ ସ୍କୁଲ ଛୁଟି ଘୋଷଣା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେଜ୍ରିୱାଲ ।

ତେବେ ଭାରତରେ ଏଯାବତ ୭୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିବା ବେଳେ ଭୁତାଣୁ ନେଇ ସବୁଠି ଭାଳେଣି ପଡିଛି । ଆଉ ଏ ସବୁକୁ ଆଖି ଆଗରେ ରଖି କରୋନାକୁ ମହାମାରୀ ଘୋଷଣା କରାଯାଇଛି । କରୋନା ପାଇଁ ବିଦେଶ ଯାତ୍ରା ଏବଂ ବିଦେଶରୁ ଆସୁଥିବା ନାଗରିକଙ୍କ ଉପରେ କଟକଣା ଜାରି କରାଯାଇଛି । ଏମିତିକି ଏପ୍ରିଲ ୧୫ ଯାଏଁ ଭିସା ବାତିଲ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି । ଆଉ ବିଦେଶରୁ ଆସିଥିବା ନାଗରିକଙ୍କୁ ଅଲଗା ରଖାଯାଇଛି ।