କନକ ବ୍ୟୁରୋ: ସର୍ବସ୍ୱାନ୍ତ କଲା ନିଆଁ । ଜଳି ପୋଡି ପାଉଁଶ ହୋଇଗଲା ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ଓ ସୁନା ଗହଣା । ଏବେ ପାଉଁଶ ତଳୁ ଖୋଜୁଛନ୍ତି ସାଇତା ସମ୍ପତ୍ତିି । ଗୋପ ଚେଙ୍ଗେଇଲ ଗାଁରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ଘରେ ନିଆଁ ଲାଗିଯାଇଥିଲା । ଗାଁର ପ୍ରମୋଦ ମଲ୍ଲିକ ଝିଅ ବାହାଘର ପାଇଁ ୫ ଲକ୍ଷ ଟଙ୍କା ରଖିଥିଲେ । ସବୁ ଟଙ୍କା ପୋଡି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଆସବାବପତ୍ର ପୋଡି ହୋଇଯାଇଛି ।

Advertisment

ବିଳମ୍ବିତ ରାତିରେ ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗିଯାଇଥିଲା । ଘର ଭିତରେ ଥିବା ୨ଟି ବାଇକ୍, ୫ଟି ସାଇକେଲ ସହିତ ସବୁ ସାମଗ୍ରୀ ପୋଡିଯାଇଛି । ନିଆଁକୁ ଆୟତ୍ତ କରିବାକୁ ଯାଇ ପ୍ରମୋଦ ମଲ୍ଲିକଙ୍କ ସମେତ ଅନ୍ୟ ଜଣେ ଆହତ ହୋଇଛନ୍ତି । ପ୍ରମୋଦଙ୍କ ୬ ଝିଅ ଅଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣ ବିବାହ କରିନାହାନ୍ତି । ଝିଅର ବାହାଘର ପାଇଁ ପ୍ରମୋଦ ଟଙ୍କା ଓ ସୁନା ଗହଣା ରଖିଥିଲେ । ଏବେ ନିଆଁରେ ସବୁ ପୋଡି ଯିବା ପରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି ।