ସମସ୍ତେ ଜୀବିତ ଅଛୁ, ଠିକ୍ ଅଛୁ । ଭାରତୀୟ ବାୟୁସେନାର ଆକ୍ରମଣରେ କୌଣସି କ୍ଷତି ହୋଇନି- ଦାବି କଲା ଜୈସ-ଏ-ମହମ୍ମଦ

527

ପାକିସ୍ତାନର ବାଲାକୋଟରେ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦର ତାଲିମ ଶିବିର ଉପରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ପରେ ସାରା ବିଶ୍ବ ଭାରତର ଏଭଳି କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଥିବା ବେଳେ ଆଜି ଜୈସ୍ ମୁଖ୍ୟ ମସୁଦ ଅଜହରପୁଣି ମୁହଁ ଖୋଲିଛି । ସଂଗଠନର ସାପ୍ତାହିକ ମୁଖପତ୍ର ଅଲ୍-କଲାମରେ ସାଦି ଶୀର୍ଷକ ସ୍ତମ୍ଭରେ ମସୁଦ୍ ତାଲିମ ଶିବିର ସମ୍ପୂର୍ଣ୍ଣ ଧ୍ବଂସ ହୋଇଛି ବୋଲି ବାୟୁସେନା କରିଥିବା ଦାବିକୁ ମିଛ ଦର୍ଶାଇଛି। ଏପରିକି ତା ସ୍ୱାସ୍ଥ୍ୟରେ ଅବନତି ଘଟିଥିବା ଖବରକୁ ମଧ୍ୟ ସେ ଖଣ୍ଡନ କରିଛି।

ଭାରତର ବିମାନ ଆକ୍ରମଣରେ ତା’ ସଂଗଠନର ସାମାନ୍ୟତମ କ୍ଷତି ହୋଇନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିବା ସହ ସମସ୍ତେ ବଞ୍ଚିଛନ୍ତି ଏବଂ ସୁସ୍ଥ ରହିଛନ୍ତି ବୋଲି ମସୁଦ୍ ଦାବି କରିଛି। ଏପରିକି ସେ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ପ୍ରମାଣ ଦେବାକୁ ଏକ ବନ୍ଧୁକ ଚାଳନା କି ତୀରନ୍ଦାଜ ପ୍ରତିଯୋଗିତାରେ ଭାଗନେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆହ୍ୱାନ କରିଛି। ଏଥି ସହିତ ପୁଲୱାମାରେ ଆଦିଲ ଅହମ୍ମଦ ଡାର(ସିଆରପିଏଫ୍ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିଥିବା ଆତଙ୍କବାଦୀ) ଲଗାଇଥିବା ନିଆଁ ଏତେ ସହଜରେ ଲିଭିବନି ବୋଲି ମସୁଦ୍ କହିଛି।