କନକ ବ୍ୟୁରୋ : ଇସ୍ରାଏଲ ନଜରରୁ ବଂଚିବା ପାଇଁ ଗାଜାର ଅଲ-ସିଫା ହସ୍ପିଟାଲକୁ ହମାସ ଆତଙ୍କବାଦୀ ମାନେ ନିଜର ନୂଆ ଆଡ୍ଡାସ୍ଥଳୀ ଭାବେ ବ୍ୟବହାର କରିବା ସହ ସେଠାରେ ଭୂତଳ ସୁଡଙ୍ଗ କରି ପଣବନ୍ଦୀମାନଙ୍କୁ ଲୁଚାଇ ରଖୁଛନ୍ତି ବୋଲି ଉଭୟ ଇସ୍ରାଏଲ ଓ ଆମେରିକା ଦାବି କରୁଛନ୍ତି । ୨୦୦୭ରୁ ତଟବର୍ତୀ ଅଂଚଳ ଅଧିକାର ଜାରି କରିଆସୁଥିବା ହମାସ ସହର ତଳେ ପ୍ରାୟ ୧୦୦ କିଲୋମିଟର ଲମ୍ବର ଗୁପ୍ତ ସୁଡଙ୍ଗ ତିଆରି କରିଛି , ଯାହାକୁ ସେ ଏବେ ଆକ୍ରମଣର ପ୍ଲାନିଂ ତଥା ଲୁଚିବା ପାଇଁ ବ୍ୟବହାର କରୁଛି । ଏହି ହସ୍ପିଟାଲରେ ବର୍ତ୍ତମାନ ପ୍ରାୟ୩୬ଟି ନବଜାତ ଶିଶୁ ଅଛନ୍ତି ଓ ନିକଟରେ ଆବଶ୍ୟକ ସୁବିଧା ଅଭାବରୁ ୩ଟି ନୁଆ ଜନ୍ମ ହୋଇଥିବା ଅପରିପକ୍ୱ ଶିଶୁଙ୍କର ମୃତ୍ୟୁ ହୋଇସାରିଲାଣି । ଅଲ-ସିଫା ହସ୍ପିଟାଲର ମୁଖ୍ୟ ଅଧିକାରୀ ହସ୍ପିଟାଲ ତଳେ ଏପରି କିଛି ଭୁତଳ ସୁଡଙ୍ଗ କରାଯାଇଥିବାର ଅଭିଯୋଗକୁ ଖଣ୍ଡନ କରିବା ସହ ଯଦି କୌଣସି ଆନ୍ତର୍ଜାତିକ ସଂଗଠନର ଦଳ ଆସି ଏ ନେଇ ଅନୁଧ୍ୟାନ କରିବାକୁ ଚାହୁଁଛନ୍ତି ତେବେ କରିପାରିବେ ବୋଲି ଜଣାଇଛନ୍ତି ।

Advertisment

ଅଲ-ସିଫାର ଅର୍ଥ ଓ ଇିତିହାସ

ଆଲ- ସିଫାର ଗୋଟେ ପଟେ ଗାଜାର ମାଛଧରା ଉପକୂଳ ଓ ଅନ୍ୟପଟେ ଶରଣାର୍ଥୀଙ୍କ କ୍ୟାମ୍ପ ରହିଛି । ଆରବୀୟ ଭାଷାରେ ଦେଖବାକୁ ଗଲେ ଶିଫାର ଅର୍ଥ – ହିଲିଂ ବା ଉପଶମ । ମଧ୍ୟ -ପାଚ୍ୟର ପ୍ରାୟ ସବୁ ହସ୍ପିଟାଲକୁ ସାଧାରଣତଃ ଏହି ଶିଫା ନାମଟି ଦିଆଯାଇଥାଏ ।

ବ୍ରିଟିସ ରାଜତ୍ୱ ସମୟରେ ୧୯୪୬ ମସିହାରେ ଏହି ଅଲ ସିଫା ହସ୍ପିଟାଲର ନିର୍ମାଣ ହୋଇଥିଲା । ଆଗରୁ ଇଜିପ୍ଟ ଇସ୍ରାଏଲର ଅନେକ ଆକ୍ରମଣକୁ ମଧ୍ୟ ଏହି ହସ୍ପିଟାଲ ସାମ୍ନା କରିଛି । । ୧୯୮୦ ଦଶକକୁ ଇସ୍ରାଏଲ ଆର୍କିଟେକ୍ ଦ୍ୱାରା ଏହି ହସ୍ପିଟାଲର ପୁନଃ ନବୀକରଣ କରାଯାଇଥିଲା । ୧୯୯୪ରେ ପାଲେଷ୍ଟାଇନ ଲିବରେସନ ଅର୍ଗାନାଇଜେସନ ମୁଖ୍ୟ ୟାସେରଙ୍କ ବାହିନୀ , ଗାଜାର ଆଲ-ସିଫା ଉପରେ ପତାକା ଉଡାଇ ନିଜକୁ ସ୍ୱାଧୀନ ବୋଲି ଘୋଷଣା କରିଥିଲେ । ଏହାପରେ ୨୦୦୭ରେ ଆଶ୍ଚର୍ଯ୍ୟ ଭାବେ ହମାସ ନିର୍ବାଚନ ଜିତି ଗାଜାକୁ ଅଧିକାର କରିବା ସହ ଆଲ-ଶିଫାରେ ନିଜକୁ ବିଜେତା ଘୋଷଣା କରିଥିଲେ । ଗାଜା ତଳେ ସୁଡଙ୍ଗ କରି ହମାସ ଆକ୍ରମଣ ଷଡଯନ୍ତ୍ର କରୁଥିବାର ଅଭିଯୋଗ ଇସ୍ରାଏଲ ଅନେକ ଆଗରୁ କହି ଆସୁଥିଲେ ମଧ୍ୟ ଏହାକୁ ନେଇ ଏବେ ଯାଏଁ କୌଣସି ଠୋସ ପ୍ରମାଣ ମିଳି ନାହିଁ ।