କନକ ବ୍ୟୁରୋ : ଆଜି ଭାରତ ପାଇଁ ଏକ ଆଶ୍ୱସ୍ତିର ଦିନ ଥିଲା । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବାରେ ଶେଷ ବାଧା ଥିଲା ସୁମି ସହର । ଏଠାରେ ୬୯୪ ଜଣ ଭାରତୀୟ ଫସି ଯାଇଥିଲେ । ରୁଷର ଆକ୍ରମଣ ଏବଂ ୟୁକ୍ରେନ ସେନାର ପାଲଟା ଆକ୍ରମଣ ଭିତରେ ଏହି ଛାତ୍ରଛାତ୍ରୀମାନେ ପ୍ରମାଦ ଗଣୁଥିଲେ । କିନ୍ତୁ ଉଭୟ ସେନାର ଯୁଦ୍ଧ ବିରତି ଘୋଷଣା ପରେ ସେମାନଙ୍କ ଉଦ୍ଧାର କାମ ଆରମ୍ଭ ହୋଇଛି । ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଟୁଇଟ କରି କହିଛି, ସମସ୍ତ ୬୯୪ ଜଣ ଛାତ୍ରଛାତ୍ରୀ ବସ୍ ଯୋଗେ ଆଉ ଏକ ସହରକୁ ଚାଲିଯାଇଛନ୍ତି । ସେଠାରୁ ଭାରତ ଫେରିବା ପାଇଁ ବ୍ୟବସ୍ଥା କରାଯାଉଛି ।

Advertisment

v

ଯୁଦ୍ଧ ଆରମ୍ଭ ହେବା ପରେ ତୁରନ୍ତ ଭାରତୀୟଙ୍କୁ ଉଦ୍ଧାର ପକ୍ରିୟା ଆରମ୍ଭ କରିଦେଇଥିଲେ ଭାରତ ସରକାର । ଖାରକିଭ୍, ଇରପିନ ପରି ଜାଗାରୁ ଉଦ୍ଧାର ହୋଇଥିଲେ ଛାତ୍ରଛାତ୍ରୀ । ହେଲେ ଯୁଦ୍ଧ ଭିତରେ ସୁମିରେ ଉଦ୍ଧାର କଷ୍ଟକର ହୋଇପଡ଼ିଥିଲା ।

ୟୁକ୍ରେନର ସୁମି ସହରରେ ବସରେ ବସି ଭାରତୀୟ ଛାତ୍ରଛାତ୍ରୀ ମାନେ ବହୁ କଷ୍ଟ ପରେ ସେଠାରୁ ଭାରତ ଫେରୁଛନ୍ତି । ସୁମି ସହରରେ ଫସି ରହିଥିବା ପ୍ରାୟ ୭ ଶହ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି ଯେ, ୬୯୪ ଜଣ ବସରେ ସୁମି ସହରରୁ ପୋଲଟଭା ପାଇଁ ବାହାରି ଯାଇଛନ୍ତି । ସେଠାରୁ ସେମାନଙ୍କୁ ବିମାନ ଯୋଗେ ଭାରତ ଫେରାଇ ଅଣାଯିବ ।

ନିକଟରେ ସୁମିରେ ଫସିରହିଥିବା ଛାତ୍ରଛାତ୍ରୀ ଭିଓିଓ ଜରିଆରେ ନିଜର ଦୁଃଖ ଜଣାଇଥିଲେ । କେମିତି, ଖାଇବା ଜିନିଷର ଅଭାବ, ପାଣି ପିଇବାକୁ ମିଳୁ ନାହିଁ, ଆଉ ଉଦ୍ଧାର ହେବାକୁ କେମିତି ଅପେକ୍ଷା କରି ରହିଛନ୍ତି, ସେକଥା ଏହି ଭିଡିଓରେ ବଖାଣିଥିଲେ । ଏମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଛାତ୍ର ମଧ୍ୟ ରହିଥିଲେ । ହେଲେ ଏବେ ସେମାନଙ୍କ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ସୋମବାର ରୁଷ୍ ରାଷ୍ଟ୍ରପତି ପୁଟିନ୍ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଫସିଥିବା ଛାତ୍ରଛାତ୍ରୀଙ୍କ ଉଦ୍ଧାର ପାଇଁ ଯୁଦ୍ଧବିରତି କରିବାକୁ ଏଥିରେ ମୋଦୀ ଉଭୟ ନେତାଙ୍କୁ ପ୍ରବର୍ତାଇଥିଲେ । ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ‘ଅପରେସନ ଗଙ୍ଗା’ ଆରମ୍ଭ କରିଥିଲେ କେନ୍ଦ୍ର୍ର ସରକାର । ଏହା ଭିତରେ ୧୬ ହଜାରରୁ ଅଧିକଙ୍କୁ ଉଦ୍ଧାର କରି ସ୍ୱଦେଶ ଅଣାଯାଇପାରିଛି ।