ହିଞ୍ଜିଳିରେ ସମସ୍ତ ୫୦ଟି ରୂପାନ୍ତରିତ ସରକାରୀ ସ୍କୁଲ ଲୋକାର୍ପିତ । ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ।

274

କନକ ବ୍ୟୁରୋ : ପଞ୍ଚମ ପର୍ଯ୍ୟାୟରେ ଆଜି ଆଉ ୧୦ଟି ସ୍ମାର୍ଟ ସ୍କୁଲ ବା ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଫାଇଭ-ଟି କାର୍ଯ୍ୟକ୍ରମରେ ହିଞ୍ଜିଳିର ରୂପାନ୍ତରିତ ହୋଇଥିବା ୫୦ଟି ଯାକ ସ୍କୁଲକୁ ଲୋକାର୍ପିତ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ହିଞ୍ଜିଳିରେ ଆରମ୍ଭ ହୋଇଥିବା ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରତିଫଳିତ ହେବ । ଓଡ଼ିଶାର ସବୁ ସ୍କୁଲରେ ହେବ ଏପରି ରୂପାନ୍ତରଣ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପିଲାମାନଙ୍କ ମଧ୍ୟରେ ଏ ରୂପାନ୍ତର କାର୍ଯ୍ୟକ୍ରମ ଦୃଢ଼ ଆତ୍ମବିଶ୍ୱାସ ସୃଷ୍ଟି କରିଛି । ପିଲାମାନଙ୍କୁ ଠିକ ଭାବେ ଗାଇଡ୍ କରିବାକୁ ଶିକ୍ଷକଙ୍କୁ ସେ ପରାମର୍ଶ ଦେଇଛନ୍ତି । ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀ, ବିଧାୟକଙ୍କ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲ ରୂପାନ୍ତରଣ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ଉଦାହରଣ । ଜନପ୍ରତିନିଧି ଭାବେ ସମାଜର ସବୁ କ୍ଷେତ୍ରରେ ପରିବର୍ତନ ଆଣିବା ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଲୋକାର୍ପିତ ହୋଇଥିବା ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ନଭେମ୍ବର ୧୪ ଅର୍ଥାତ ଶିଶୁ ଦିବସରେ ୧ ହଜାର ୭୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପଣ କରାଯିବ ବୋଲି ଯୋଜନା ରହିଛି ।