ପାହାଡ ପାଟିରୁ ଫେରିଲା ଜୀବନ: ୧୭ ଦିନ ସଂଘର୍ଷ କରି ସୁଡଙ୍ଗରୁ ବାହାରିଲେ ୪୧ ଯୋଦ୍ଧା

255

କନକ ବ୍ୟୁରୋ: ଦିନେ କି ଦୁଇ ଦିନ ନୁହେଁ ପୂରା ୧୭ ଦିନ । କେମିତି ବିତିଥିଲା ସେହି ରାତି, କେମିତି କଟିଲା ସେସବୁ ଅନ୍ଧାରୀ ଦିନ । ତାହା କେବଳ ସେହି ଶ୍ରମିକ ମାନେ ହିଁ ଜାଣନ୍ତି । ଏହି ୧୭ ଦିନ ଭିତରେ ସମସ୍ତେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନିଜ ସାମର୍ଥ୍ୟ ଲଗାଇ ଦେଇଥିଲେ । କିଏ ଘଟଣାସ୍ଥଳରେ ରହି ଟନେଲ ଖୋଳୁଥିଲା ତ ଆଉ କିଏ ଘରେ ବସି ପ୍ରାର୍ଥନା କରୁଥିଲା । ହେ ପ୍ରଭୁ ଶ୍ରମିକଙ୍କୁ ଉଦ୍ଧାର କର… କିଏ ଶ୍ରମିକଙ୍କ ପାଇଁ ମନ୍ଦିରରେ ଦୀପ ଜାଳୁଥିଲା ତ ଆଉ କିଏ ମସଜିଦରେ ନମାଜ ପଢୁଥିଲା । କୋଟି କୋଟି ଭାରତୀୟଙ୍କ କାମନା ଥିଲା ଶ୍ରମିକଙ୍କ ସହ । ଏହାରି ଭିତରେ ବଡ ଚ୍ୟାଲେଞ୍ଜ ଥିଲା ଟନେଲ ଭିତରେ ପଶି ଶ୍ରମିକଙ୍କୁ ଉଦ୍ଧାର କରିବା । ପାହାଡର ପଥର ଚଟାଣ ଭାଙ୍ଗିନପାରି ଭାଙ୍ଗି ଯାଇଥିଲା ଅଗର ମେସିନ । ହେଲେ ଭାଙ୍ଗିପାରିନଥିଲା ଉଦ୍ଧାରକାରୀଙ୍କ ମନୋବଳ । ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଦିନ ରାତି ଏକାକାର କରିଦେଇଥିଲେ ଉଦ୍ଧାରକାରୀ ଦଳ । ଦେଶର ବିକାଶରେ ଯେଉଁ ଶ୍ରମିକଙ୍କ ଅବଦାନ ରହିଛି ତାଙ୍କ ପାଇଁ ଏହି ୧୭ ଦିନରେ ଏକାଠି ହୋଇଥିଲା ସାରା ଦେଶ । ଆଉ ଶେଷରେ ୧୭ ଦିନ ପରେ ପଥର ଫଟାଇ ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏବଂ ପାହାଡର ଗର୍ବ ଭାଙ୍ଗି ଶ୍ରମିକମାନେ ବାହାରକୁ ବାହାରିଥିଲେ ମୁହଁରେ ହସ ନେଇ ବାହାର ଦୁନିଆ ଦେଖିବା ପାଇଁ…

୧୭ ଦିନର ସଂଘର୍ଷ ପରେ ଆଜି ସମସ୍ତ ଶ୍ରମିକ ଉଦ୍ଧାର ହୋଇଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ସୂଚନା ମିଳିଛି ।

ନଭେମ୍ବର ୧୨ରେ ଶ୍ରମିକମାନେ ସବୁଦିନ ଭଳି ଟନେଲ ଭିତରକୁ କାମ କରିବା ପାଇଁ ଯାଇଥିଲେ। ସକାଳ୫ଟା ୩୦ରେ ହଠାତ୍ ଭୂସ୍ଖଳନ ଆରମ୍ଭ ହେବାରୁ ଅନେକ ଶ୍ରମିକ ବାହାରକୁ ଚାଲିଆସିଥିଲେ। ହେଲେ ହଠାତ୍ ନିର୍ମାଣାଧୀନ ଟନେଲର ୬୦ମିଟର ଅଂଶ ଧସିବାରୁ ୪୧ଜଣ ଶ୍ରମିକ ଟନେଲ ଭିତରେ ଫସି ଯାଇଥିଲେ। ଏହାପରଠାରୁ ଉତ୍ତରାଖଣ୍ଡ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଲାଗିପଡିଥିଲେ ।

ନଭେମ୍ବର ୧୨ରେ ସୁଡ଼ଙ୍ଗ ଭୁଶୁଡ଼ିବା ପରେ ୧୩ରେ ଫସି ରହିଥିବା ଶ୍ରମିକମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରାଯାଇଥିଲା। ସେମାନଙ୍କୁ ଅମ୍ଳଜାନ ଯୋଗାଇବା ପାଇଁ ବ୍ୟବସ୍ଥା କରାଯିବା ସହ ସେମାନେ ନିରାପଦରେ ଥିବା ସୂଚନା ମିଳିଥିଲା। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉକ୍ତ ସ୍ଥାନ ପରିଦର୍ଶନ କରିବା ପରେ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଥିଲା।

ନଭେମ୍ବର ୧୪ରେ ୮୦୦ ଏବଂ ୯୦୦ ମିଲିମିଟର ବ୍ୟାସ ବିଶିଷ୍ଟ ଇସ୍ପାତ ପାଇପ ଅଣାଯାଇ ଏକ ଅଗର୍ ମେସିନ୍ ସାହାଯ୍ୟରେ ଭୂସମାନ୍ତର ଗର୍ତ୍ତ ଖନନ ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହା ସହ ଏହି ପାଇପକୁ ସୁଡ଼ଙ୍ଗ ଭିତରକୁ ପ୍ରବେଶ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ନଭେମ୍ବର ୧୫ରେ ପ୍ରଥମ ଡ୍ରିଲିଂ ମେସିନର କାର୍ୟ୍ୟଦକ୍ଷତାକୁ ନେଇ ଏନଏଚଆଇଡିସିଏଲ୍ ଅସନ୍ତୁଷ୍ଟ ହେବାରୁ ଦିଲ୍ଲୀରୁ ବିମାନ ସାହାଯ୍ୟରେ ଏକ ଅତ୍ୟାଧୁନିକ ଆମେରିକୀୟ ଆଗର୍ ମେସିନ୍ ଅଣାଯାଇଥିଲା।

ନଭେମ୍ବର ୧୬ରେ ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରିଲିଂ ମେସିନ୍ ଉଦ୍ଧାରସ୍ଥଳୀରେ ସ୍ଥାପନ କରାଯାଇ ମଧ୍ୟରାତ୍ରିରେ ଏହା କାମ କରିବା ଆରମ୍ଭ କରିଥିଲା।

ନଭେମ୍ବର ୧୭ରେ ଅପରାହ୍ନ ସୁଦ୍ଧା ମେସିନ୍ ପ୍ରାୟ ୨୪ ମିଟର ଡବଲ୍ ଡ୍ରିଲ୍ କରିଥିଲା ଏବଂ ଛଅ ମିଟର ଲମ୍ବ ବିଶିଷ୍ଟ ଚାରିଟି ଏମ୍ଏସ୍ ପାଇପ୍ ସୁଡ଼ଙ୍ଗ ଭିତରକୁ ଭର୍ତ୍ତି କରାଯାଇଥିଲା। ମାତ୍ର ପଞ୍ଚମ ପାଇପ୍ ଭିତରକୁ ପ୍ରବେଶ କରିବା ସମୟରେ ଚଟ୍ଟାଣ ସହ ଧକ୍କାଖାଇବାରୁ ବାଧା ଦେଖାଦେଇଥିଲା। ଫଳରେ ଖନନ ପ୍ରକ୍ରିୟା ବନ୍ଦ ହୋଇଯାଇଥିଲା।

ପରେ ନଭେମ୍ବର ୧୮ରେ ଡ୍ରିଲିଂ ବନ୍ଦ କରିବାକୁ ବିଶେଷଜ୍ଞମାନେ ନିଷ୍ପତ୍ତି ନେଲେ । କାରଣ ଟନେଲ ଭିତରେ ଡିଜେଲ ଚାଳିତ ୧୭୫୦ ହର୍ଷପାୱାର ବିଶିଷ୍ଟ ଆମେରିକୀୟ ଅଗର୍ ମେସିନ୍ ଚାଲିବା ଫଳରେ ତା’ ଦ୍ୱାରା ସୃଷ୍ଟି ହୋଇଥିବା କମ୍ପନ ହେତୁ ଖଣ୍ଡ ଖଣ୍ଡ ହୋଇ ପଥର ଖସିବାକୁ ଲାଗିଲା। ଏଣୁ ବିଶେଷଜ୍ଞମାନେ ପାହାଡ ଉପର ପଟୁ ଏକ ଭୂଲମ୍ବ ଗର୍ତ୍ତ ଖନନ ପାଇଁ ପ୍ରସ୍ତୁତି ଆରମ୍ଭ କଲେ।

ନଭେମ୍ବର ୨୧ରେ ସୁଡ଼ଙ୍ଗରେ ଫସିଥିବା ୪୧ ଜଣ ଶ୍ରମିକଙ୍କ ପ୍ରଥମ ଭିଜୁଆଲ୍ ଆସିଲା। ନୂତନ ୬ ଇଞ୍ଚ ବ୍ୟାସର ପାଇପଲାଇନ ମାଧ୍ୟମରେ ପଠାଯାଇଥିବା ଏକ ଏଣ୍ଡୋସ୍କୋପିକ୍ କ୍ୟାମେରା ଦ୍ୱାରା କଏଦ ହୋଇଥିବା ଭିଡିଓ କ୍ଲିପ୍ ସେଠାରେ କିଛି ଦିନ ଧରି ପଡ଼ି ରହିଥିବା ସମ୍ପର୍କୀୟଙ୍କ ପାଇଁ ଆଶା ସଞ୍ଚାର କରିଥିଲା।

ନଭେମ୍ବର ୨୪ରେ ସୁଡ଼ଙ୍ଗରେ ପୁଣି ଡ୍ରିଲିଂ ବନ୍ଦ କରାଗଲା । ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଇଂଜିନିୟର କହିଲେ ଯେ ଅଗର ଡ୍ରିଲିଂ ମେସିନ୍ ଶକ୍ତ ପଥର ସହ ଧକ୍କା ଖାଇବାରୁ ବୈଷୟିକ ସମସ୍ୟା ସୃଷ୍ଟି ହୋଇଥିଲା।

ନଭେମ୍ବର ୨୬ରେ ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଆସିଥିବା ‘ଅଗର୍‌ ମେସିନ୍‌’ ଅକାମି ହୋଇ ଭଗ୍ନସ୍ତୂପ ମଧ୍ୟରେ ଲାଖିଯିବାରୁ ତାକୁ କାଟି ବାହାର କରିବା ଲାଗି ହାଇଦ୍ରାବାଦରୁ ଗୋଟାଏ ‘ପ୍ଲାଜ୍‌ମା କଟର୍‌’ ଆସିଥିଲା। ଏହା ପରେ ‘ଭର୍ଟିକାଲ୍‌ ଡ୍ରିଲିଙ୍ଗ୍‌’ ଆରମ୍ଭ କରାଗଲା। ଏହି ଅଭିଯାନରେ ଭାରତୀୟ ସେନାର ଇଂଜିନିୟରଙ୍କୁ ସାମିଲ୍ କରାଗଲା।

ନଭେମ୍ବର ୨୮ରେ ଟନେଲ୍ ଉଦ୍ଧାର କାର୍ୟ୍ୟରେ ରାଟ୍‌ହୋଲ୍ ମାଇନିଂ କୌଶଳ ମଧ୍ୟ ବ୍ୟବହାର କରାଯାଇ ସୁଡ଼ଙ୍ଗ ଭିତରକୁ ପାଇପ୍ ଭର୍ତ୍ତି କରାଗଲା। ଏହି କୌଶଳରେ ଭୁଶୁଡ଼ି ପଡ଼ିଥିବା ପଥର, ମାଟି ଓ କଂକ୍ରିଟକୁ ହାତରେ ସଫା କରାଯାଏ। ରାଟ୍‌ହୋଲ୍ ମାଇନିଂ କୌଶଳର ଉପଯୋଗରେ ଶ୍ରମିକଙ୍କ ପାଖରେ ପହଞ୍ଚିବାରେ ଉଦ୍ଧାରକାରୀ ଦଳ ସକ୍ଷମ ହେଲେ।