ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପରେ ଜୋରଦାର ହେଲା ପ୍ରାର୍ଥୀ ଖୋଜା । ବିଜେଡିର ପ୍ରାର୍ଥୀ ଘୋଷଣା ଉପରେ ନଜର, ଦୁଇ ତିନି ଦିନ ଭିତରେ ବିଜେପି ଓ କଂଗ୍ରେସ ଘୋଷଣା କରିପାରନ୍ତି ପ୍ରାର୍ଥୀଙ୍କ ନାଁ ।

178

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତି ଅନୁସାରେ ଆଜି ଠାରୁ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ କରିପାରିବେ ପ୍ରାର୍ଥୀ । ମାର୍ଚ୍ଚ ୩୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବା ବେଳେ ୩୧ ମାର୍ଚ୍ଚରେ ନାମାଙ୍କନ ପତ୍ରର ଯାଞ୍ଚ ହେବ । ନାମାଙ୍କନ ପ୍ରତ୍ୟାହାର ଶେଷ ଦିନ ରହିଛି ଏପ୍ରିଲ ୩ । ଏହିଦିନ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏପ୍ରିଲ ୧୭ ତାରିଖରେ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପଡିବ ଭୋଟ୍ । ମେ’ ୪ତାରିଖ ସୁଦ୍ଧା ଶେଷ ହେବ ନିର୍ବାଚନ ପ୍ରକ୍ରିୟା । ଗତବର୍ଷ ପ୍ରଦୀପ ମହାରଥୀଙ୍କ ପରଲୋକ ପରଠାରୁ ଏହି ଆସନ ଖାଲି ପଡିଛି ।

ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଭୋଟ ପାଇଁ ଆରମ୍ଭ ହେଲା କସରତ । ଲୋକପ୍ରିୟ ନେତା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ପିପିଲିରେ ହେବାକୁ ଯାଉଛି ଉପନିର୍ବାଚନ । ଆଉ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଭୋଟ ପାଇଁ ଆରମ୍ଭ ହୋଇଯାଇଛି କସରତ । ଚଳିତମାସ ୩୦ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବାରୁ ବିଜେଡି, ବିଜେପି ଓ କଂଗ୍ରେସ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବା ଆଶା କରାଯାଉଛି ।

ବିଜେପି ପାଇଁ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ ଦୌଡରେ ସବୁଠାରୁ ଆଗରେ ଅଛନ୍ତି ବୋଲି କୁହାଯାଉଛି । ୨୦୧୯ ନିର୍ବାଚନରେ ବିଜେପିର ଆଶ୍ରିତ ପଟ୍ଟନାୟକ ୪୧. ୬୨% ଅର୍ଥାତ ୭୨ ହଜାର ୭୩୧ ଭୋଟ ପାଇଥିଲେ । ସେପଟେ କଂଗ୍ରେସ ପାଇଁ ଅଜିତ ମଙ୍ଗରାଜ ଓ ନିଶିକାନ୍ତ ମିଶ୍ର ପ୍ରାର୍ଥୀ ଦୌଡରେ ଆଗରେ ଥିବା କୁହାଯାଉଛି । ଗତ ନିର୍ବାଚନରେ କଂଗ୍ରେସ ୫.୬୩% ପ୍ରତିଶତ ସହ ପାଇଥିଲା ୯ ହଜାର ୮୩୦ ଭୋଟ ।

ଆଉ ଏହାରି ଭିତରେ ବିଜେଡିର କିଏ ପ୍ରାର୍ଥୀ ହେବ ସେ ନେଇ ଚାଲିଛି ଅଙ୍କକଷା । ତେବେ ବଡ ପ୍ରଶ୍ନ ହେଉଛି କାହାକୁ ମିଳିବ ଟିକେଟ । ମା ପ୍ରତିଭା ମହାରଥୀ ନା ପୁଅ ରୁଦ୍ର ମହାରଥୀ । ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବଙ୍କୁ ପିପିଲି ଉପନିର୍ବାଚନ ଦାୟିତ୍ୱ ଦିଆଯାଇଛି । ତେଣୁ ସେ ବରିଷ୍ଠ ନେତାଙ୍କ ସହ ପ୍ରାର୍ଥୀ ଖୋଜା ନେଇ ମନ୍ତ୍ରଣା ଜାରି ରଖିଛନ୍ତି । ତେବେ ପୁଅ ପାଇବେ ନା ମା ପାଇବେ ତାହା ଦେଖିବା କଥା ।

ବିଜେପି ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ୱରୀ ଘନ ଘନ ବୈଠକ କରି ରଣନୀତି ପ୍ରସ୍ତୁତ କରିଛନ୍ତି । କଂଗ୍ରେସ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରି ଦଳର ତୁଙ୍ଗ ନେତାଙ୍କ ସହିତ ବିଚାର ବିମର୍ଶ କରିଛି । ତେଣୁ ଏବେ ଅପେକ୍ଷା ପ୍ରାର୍ଥୀ ଘୋଷଣାକୁ ।