ସରକାରୀ ନିୟମକୁ ଖାତିର ନାହିଁ । ରାତି ଅଧରେ ନିଷିଦ୍ଧାଚଂଳରେ ଚାଲିଛି ମାଛଧରା, ଶତାଧିକ ଅଲିଭରିଡଲେଙ୍କ ଗର୍ଭସ୍ଥ ଅବସ୍ଥାରେ ଯାଉଛି ପ୍ରାଣ

246

କନକ ବ୍ୟୁରୋ :ଅଲିଭରିଡଲେ କଇଁଛ ପ୍ରକୃତିର ଏକ ବିରଳ ସୃଷ୍ଟି। ଏହାର ଆକାର ପ୍ରକାର ଅନ୍ୟ କଇଁଛମାନଙ୍କ ଠାରୁ ଭିନ୍ନ। ସମୁଦ୍ର ପାଣିରେ ବସବାସ କରୁଥିବା ଏହି କଇଁଛ ପୁରୀ ବେଳାଭୂମିକୁ ବହୁ ସଂଖ୍ୟାରେ ଆସି ଅଣ୍ଡାଦାନ କରିବା ବି ପ୍ରକୃତିର ଏକ ବିରଳ ଦୃଶ୍ୟ। କିନ୍ତୁ ଏମାନଙ୍କୁ ସମୁଦ୍ର ଭିତରେ ଗର୍ଭସ୍ଥ ଅବସ୍ଥାରେ ମାରି ଦିଆଯାଇଛି। ଗୋଟିଏ କି ଦୁଇଟି ନୁହେଁ, ଶହ ଶହ ଅଲିଭ୍ ରିଡଲେଙ୍କୁ ଏଭଳି ମାରି ଦିଆଯାଇଛି।

ଗତକାଲି ସଂଧ୍ୟାରେ ପୁରୀ ବେଳାଭୂମିରେ ଶତାଧିକ ସଂଖ୍ୟାରେ ମୃତ ଅଲିଭ୍ ରିଡଲେ ମରି ଭାସିଆସି କୂଳରେ ଲାଗିବା ଓ ଏହାକୁ ବୁଲା କୁକୁରମାନେ ଝୁଣି ଖାଇବା କେବଳ ପ୍ରକୃତିପ୍ରେମୀ ନୁହେଁ, ପର୍ଯ୍ୟଟକଙ୍କ ମନକୁ ବି ଆନ୍ଦୋଳିତ କରିଛି। ବିଶେଷକରି ପୁରୀ ବେଳାଭୂମିର ଲାଇଟ୍ ହାଉସ ଓ ଏହାର ଆଖପାଖ ଅଞ୍ଚଳରେ ଲାଗିଥିବା ଦେଖିବାକୁ ମିଳିଛି। ପରିସ୍ଥିତି ଏପରି ହୋଇଛି ଯେ ଅନେକ ଏହା ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ଏ ଦିଗରେ ପ୍ରଶାସନ, ବନ ବିଭାଗ ନିରବ ରହିବା, ସମସ୍ତଙ୍କୁ ମର୍ମାହତ କରିଛି।

ସାଧାରଣତଃ ନଭେମ୍ବର ଆରମ୍ଭରୁ ପୁରୀ ବେଳାଭୂମି ମୁହାଁ ହୋଇଥାନ୍ତି ଏହି ବିରଳ କଇଁଛ । ନଭେମ୍ବରରୁ ଡିସେମ୍ବର ଭିତରେ ସମୁଦ୍ର ଭିତରେ ହିଁ ଏମାନଙ୍କ ମିଳନର ପର୍ବ ଆରମ୍ଭ ହୁଏ। ଜାନୁଆରିରୁ ଫେବ୍ରୁଆରି ଭିତରେ ଏମାନେ କୂଳକୁ ଆସି ଅଣ୍ଡା ଦେବା ଆରମ୍ଭ କରିଥାନ୍ତି। ପୁରୀ ବେଳାଭୂମି ସମେତ ରାମଚଣ୍ଡୀ, ଚନ୍ଦ୍ରଭାଗା, ଅସ୍ତରଙ୍ଗ, ବ୍ରହ୍ମଗିରିର ବିଭିନ୍ନ ବେଳାଭୂମିରେ ଏମାନେ ଆସି ଅଣ୍ଡାଦାନ କରିଥାନ୍ତି। ଇତି ମଧ୍ୟରେ କଇଁଛମାନେ ସମୁଦ୍ର ଭିତରେ ଗର୍ଭସ୍ଥ ହେବା ପରେ ଅଣ୍ଡାଦାନ ପାଇଁ ପୁରୀ ଜିଲ୍ଲାର ବିଭିନ୍ନ ବେଳାଭୂମି ମୁହାଁ ହେଲେଣି। ମତ୍ସ୍ୟଜୀବୀଙ୍କ ଅବାଧ ଚଳପ୍ରଚଳ ଏମାନଙ୍କ ମୃତ୍ୟୁର କାରଣ ହୋଇଛି। ନିଷିଦ୍ଧାଞ୍ଚଳରେ ଏମାନେ ଟ୍ରଲର ଚଳାଇବା ସହ ମାଛ ପାଇଁ ଜାଲ ବିଛାଉଥିବାରୁ ଜାଲରେ ପଡ଼ି ଓ ଟ୍ରଲରେ ମାଡ଼ ହୋଇ ଏମାନଙ୍କ ମୃତ୍ୟୁ ହେଉଛି।

କଇଁଛଙ୍କ ସୁରକ୍ଷା ପାଇଁ ଅସ୍ଥାୟୀ ଘର ସାଙ୍ଗକୁ ବୋଟ୍ ପାଟ୍ରୋଲିଂର ବ୍ୟବସ୍ଥା କରାଯାଇଛି। ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ହେଲେ ଏସବୁକୁ କେହି ମାନୁନାହାନ୍ତି। ଏ ସଂପର୍କରେ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ କହିଛନ୍ତି, ଏ ସଂପର୍କରେ ମୋ ପାଖରେ ଖବର ଅଛି। ଘଟଣାର ଅନୁସନ୍ଧାନ ପାଇଁ ବନ ଅଧିକାରୀ, କର୍ମଚାରୀଙ୍କୁ ପଠାଯାଇଛି। ଅଲିଭରିଡଲେଙ୍କ ମୃତ୍ୟୁର କାରଣ ମତ୍ସ୍ୟଜୀବୀ ବୋଲି ଅନୁମାନ କରାଯାଉଛି। ଏମାନେ ରାତି ଅଧରେ ନିଷିଦ୍ଧାଞ୍ଚଳରେ ଟ୍ରଲର ଚଲାଇବା ସହ ଜାଲ ପକାଉ ଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହେଉଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି।