ଏଲିଏନ୍ସକୁ ନେଇ ବଡ ଖୁଲାସା କଲେ ପ୍ରଫେସର । ମହାକାଶକୁ ଆବର୍ଜନା ଫିଙ୍ଗୁଛନ୍ତି ଏଲିଏନ, ହାବାର୍ଡ ପ୍ରଫେସରଙ୍କ ଦାବି ଆପଣଙ୍କୁ ବି ଚକିତ କରିଦେବ?

2,146

କନକ ବ୍ୟୁରୋ : ଏଲିଏନ୍ସ ବା ଅନ୍ୟ ଗ୍ରହର ଜୀବକୁ ନେଇ ଅନେକ ସମୟରେ ଆମେ ଭିନ୍ନ ଭିନ୍ନ କଥା ଶୁଣିବାକୁ ପାଇଥାଉ । କେତେବେଳେ ପୃଥିବୀ ପୃଷ୍ଠରେ ଏଲିଅନ୍ସ ଥିବା କଥା କୁହାଯାଇଥାଏ ତ ପୁଣି କେତେବେଳେ ଆକାଶରେ ରହସ୍ୟମୟ ୟୁଏଫଓ ଦେଖାଯିବାର କଥା ମଧ୍ୟ ସାମ୍ନାକୁ ଆସିଥାଏ । ଏପରିକି କିଛି ଦେଶରେ ଏଲିଏନଙ୍କୁ ଦେଖିଥିବା ନେଇ କଥା ଗଣମାଧ୍ୟମରେ ସାମ୍ନାକୁ ଆସିଛି । କିନ୍ତୁ ଏଲିଏନଙ୍କୁ ନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କେବଳ ଯାହା ଫିଲ୍ମ ମାଧ୍ୟମରେ ଏଲିଏନଙ୍କ ବାବଦରେ ଆମର ଏକ ଧାରଣା ସୃଷ୍ଟି ହୋଇଛି । ତେବେ ଏସବୁ ଭିତରେ ହାୱାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଭି ଲୋଏବ ଏଲିଏନଙ୍କୁ ନେଇ ବଡ ଖୁଲାସା କରିଛନ୍ତି । ଆଉ ଆଭିଙ୍କ ଏହି ଦାବି ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଆସନ୍ତୁ ଜାଣିବା ଆଭି ଲୋଏବ ଏଲିଏନଙ୍କୁ ନେଇ ଦାବି କରିଥିବା ଘଟଣା ବାବଦରେ ପୂରା ତଥ୍ୟ ।

ଆଭି ଲୋଏବଙ୍କ ଦାବି ଅନୁଯାୟୀ, ପୃଥିବୀପୃଷ୍ଠ ଆଡକୁ ଉଲକାପିଣ୍ଡ, କ୍ଷୁଦ୍ରଗ୍ରହ ଆସିବା କୌଣସି ସାଧାରଣ ଘଟଣା ନୁହେଁ । ଏହା ପଛରେ ବଡ କାରଣ ଲୁଚି ରହିଛି । ଏଭଳି କ୍ଷୁଦ୍ର ଗ୍ରହ ଓ ପିଣ୍ଡ ଯାହା ପୃଥିବୀପୃଷ୍ଠ ଆଡକୁ ମାଡି ଆସିଥାଏ ତାହା ବାସ୍ତବରେ ମହାକାଶରୁ ଆସୁଥିବା ଆବର୍ଜନା ଯାହାକୁ ଏଲିଏନ୍ସ ମାନେ ମହାକାଶକୁ ଫିଙ୍ଗିଥାନ୍ତି । ହାୱାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଭି ଲୋଏବ ଏହାକୁ ନେଇ ଏକ ବହି ମଧ୍ୟ ପ୍ରକାଶିତ କରିଛନ୍ତି । ଯେଉଁ ବହିରେ ମହାକାଶରୁ ଆସୁଥିବା ପଥରଖଣ୍ଡ ବାବଦରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ମହାକାଶରୁ ଆସୁଥିବା ଏହି ପଥର, ପୃଥିବୀ ବାହାରେ ଆଉ ଏକ ଜୀବଜଗତ ରହିଥିବାର ସଂକେତ ଦେଉଛି ।

ଉକ୍ତ ପୁସ୍ତକରେ ପ୍ରଫେସର କହିଛନ୍ତି, ୨୦୧୭ରେ ମହାକାଶରେ ଆବର୍ଜନା ଫିଙ୍ଗାଯାଇଥିଲା । ଯାହା ଗତ କିଛିଦିନ ପୂର୍ବେ ଆମ ସୌରମଣ୍ଡଳରେ ଘୂରି ବୁଲିବା ସହ ଏକ ଚମକପ୍ରଦ ଚଟାଣ ଭଳି ହୋଇଯାଇଥିଲା । ଏହାବାଦ୍ ୬ ସେପ୍ଟେମ୍ବର ୨୦୧୭ରେ ଭେଗା ଷ୍ଟାରରୁ ବାହାରିଥିବା ଏହି ପିଣ୍ଡ ଆମ ସୌରମଣ୍ଡଳରେ ପ୍ରବେଶ କରିଥିଲା ଓ ୯ ସେପ୍ଟେମ୍ବର ୨୦୧୭ରେ ସୂର୍ଯ୍ୟଙ୍କ ଆଡକୁ ଚାଲି ଯାଇଥିଲା । ତେବେ ପୁଣିଥରେ ୭ ଅକ୍ଟୋବରରେ ଏହି ପିଣ୍ଡ ପୃଥିବୀର ଚକ୍କର ଲଗାଇବା ସହ ଗାଏବ ହୋଇଯାଇଥିଲା ।

ମହାକାଶରୁ ଆସିଥିବା ଏହି ଅଜଣା ପିଣ୍ଡର ନାଁ ଓଉମୁଆମୁଆ । ଏହା ମହାକାଶରୁ ଆସିଥିବା ପ୍ରଥମ ପିଣ୍ଡ ଯାହା ଆମର ସୌରମଣ୍ଡଳର ଚକ୍କର ଲଗାଇବା ସହ ଫେରିଯାଇଥିଲା । ଏପରିକି ଏହି ପିଣ୍ଡ ଉପରେ ମାଧାକର୍ଷଣ ଶକ୍ତିର ମଧ୍ୟ କୌଣସି ପ୍ରଭାବ ପଡିନଥିଲା । ଏହି ପିଣ୍ଡ ଚଉଡା ଯେତିକି ତାହାର ୧୦ ଗୁଣ ଅଧିକ ଲମ୍ବ । ଅନ୍ୟ ଉଲକାପିଣ୍ଡ ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ । ଆମ ସୌରମଣ୍ଡଳରେ ଦିଶୁଥିବା ଉଲକାପିଣ୍ଡ ଠାରୁ ଏହି ପିଣ୍ଡରେ ଦଶ ଗୁଣ ଅଧିକ ଆଲୋକ ଦେଖିବାକୁ ମିଳିଥାଏ ।