ଜାତିସଂଘ ଉପରେ ତାଲିବାନର ନଜର : ଜାତିସଂଘରେ ପ୍ରତିନିଧିତ୍ୱ ଚାହୁଁଛି ତାଲିବାନ

183

କନକ ବ୍ୟୁରୋ : ଜାତିସଂଘ ଉପରେ ତାଲିବାନର ନଜର । ଜାତିସଂଘରେ ପ୍ରତିନିଧିତ୍ୱ ଚାହୁଁଛି ତାଲିବାନ । ଏନେଇ ଜାତିସଂଘ ମହାସଚିବଙ୍କୁ ଚିଠି ଲେଖିଛି ତାଲିବାନ । ତାଲିବାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଅମିର ଖାନ୍ ମୁତାକି ଜାତିସଂଘ ମହାସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ପ୍ରତିନିଧି ହିସାବରେ ମହମ୍ମଦ ସୁହେଲ ସାହିନଙ୍କ ନାଁ ସୁପାରିଶ କରିଛି ତାଲିବାନ । ଗୁଲାମ ଇସାକ୍ଜାଇ ଆଫଗାନିସ୍ତାନର ପ୍ରତିନିଧି ନୁହନ୍ତି ବୋଲି ତାଲିବାନ ପକ୍ଷରୁ କୁହାଯାଇଛି । ତାଲିବାନର ଚିଠିକୁ ତର୍ଜମା କରୁଛି ଜାତିସଂଘ । କ୍ରେଡେନ୍ସିଆଲ କମିଟିର ୯ ଜଣିଆ ସଦସ୍ୟ ଚିଠି ଉପରେ ତର୍ଜମା କରୁଛନ୍ତି । ଏହି କମିଟିରେ ଆମେରିକା, ଚୀନ୍ ଓ ରୁଷର ପ୍ରତିନିଧି ରହିଛନ୍ତି । ଆସନ୍ତା ସୋମବାର ପୂର୍ବରୁ ଏହି କମିଟିର ବୈଠକ ବସିପାରେ ।

ଚଳିତ ସପ୍ତାହରେ ନ୍ୟୁୟର୍କରେ ହେବାକୁ ଥିବା ଜାତିସଂଘ ଅଧିବେଶନରେ ଉଦ୍‌ବୋଧନ ଦେବାକୁ ତାଲିବାନ୍‌କୁ କୁହାଯାଇଥିଲା । ସୋମବାର ଦିନ ଶେଷ ହେଉଥିବା ଜାତିସଂଘର ଏହି ଉଚ୍ଚସ୍ତରୀୟ ସାଧାରଣ ପରିଷଦ୍‌ ବୈଠକରେ ଭାଷଣ ଦେବା ଲାଗି ମୁତ୍ତାକ୍ବିଙ୍କୁ ଅନୁରୋଧ କରାଯାଇଥିଲା । ସୋମବାର ଦିନ ତାଲିବାନ୍‌ ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତ୍ତାକ୍ବି ଜାତିସଂଘର ମହାସଚିବ ଆ‌େଣ୍ଟୋନିଓ ଗୁଟେରେସ୍‌ଙ୍କୁ ଉପରୋକ୍ତ କଥା ଚିଠି ଲେଖି ଅନୁରୋଧ କରିଛନ୍ତି । ମୁତ୍ତାକ୍ବିଙ୍କ ଚିଠି ମିଳିଥିବା କଥା ଗୁଟେରେସ୍‌ଙ୍କ ମୁଖପାତ୍ର ଫର୍ହାନ୍‌ ହକ୍‌ ସୁନିଶ୍ଚିତ କରି କହିଛନ୍ତି । ଜାତିସଂଘରେ ପୂର୍ବତନ ଆଫଗାନ ସରକାରଙ୍କୁ ପ୍ରତିନିଧିତ୍ବ କରୁଥିବା ଜାତିସଂଘ ରାଷ୍ଟ୍ରଦୂତ ଗୁଲାମ୍‌ ଇସାକ୍‌ଜାଇଙ୍କୁ ଗତ ମାସରେ ତାଲିବାନ ବହିଷ୍କାର କରିଥିଲା ।

ହକ୍‌ କହିଥିଲେ ଯେ, ଆଫଗାନିସ୍ତାର ଜାତିସଂଘ ଆସନ ପାଇଁ ପ୍ରତିଦ୍ବନ୍ଦ୍ବିମାନେ କରିଥିବା ଅନୁରୋଧକୁ ୯ଜଣିଆ ସଦସ୍ୟ ବିଶିଷ୍ଟ ‘କ୍ରେଡେନ୍ସିଆଲ୍‌ କମିଟି’କୁ ପଠାଯାଇଛି । ଏହି କମିଟିରେ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍‌ ଏବଂ ରୁଷ୍‌ ଆଦି ରାଷ୍ଟ୍ର ଅଛନ୍ତି । ଏ ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବା ଲାଗି ସୋମବାର ପୂର୍ବରୁ କମିଟି ବୈଠକ ବସିବ । ତେଣୁ, ଜାତିସଂଘରେ ତାଲିବାନ୍‌ର ବୈଦେଶିକ ମନ୍ତ୍ରୀ ଭା‌ଷଣ ଦେବେ କି, ନାହିଁ ସନ୍ଦେହ। ସୁତରାଂ, ଜାତିସଂଘର ସାଧାରଣ ପରିଷଦ୍‌ ନିୟମ ଅନୁସାରେ, ନିଷ୍ପତ୍ତି ଗ୍ରହଣ ନ କରାଯିବା ପର୍ଯ୍ୟନ୍ତ ହକ୍‌ ତାଙ୍କ ଆସନରେ ରହିବେ ଏବଂ ସେପ୍ଟେମ୍ବର ୨୭ରେ ହେବାକୁ ଥିବା ସଭାରେ ଉଦ୍‌ବୋଧନ ଦେବେ ।

ତାଲିବାନ୍‌ ରାଷ୍ଟ୍ରଦୂତଙ୍କୁ ଜାତିସଂଘ ଗ୍ରହଣ କଲେ ଆନ୍ତର୍ଜାତିକ ସ୍ବୀକୃତି ଆଶା କରୁଥିବା ଏହି କଠୋରପନ୍ଥୀ ସଙ୍ଗଠନ ପାଇଁ ଖୁବ୍‌ ବଡ଼ ପଦକ୍ଷେପ ହେବ ଏବଂ ଆର୍ଥିକ ସଙ୍କଟରେ ପଡ଼ିଥିବା ଆଫଗାନିସ୍ତାନ ପାଇଁ ସହାୟତାର ଦ୍ବାର ଉନ୍ମୁକ୍ତ ହୋଇ ପାରିବ । କିନ୍ତୁ, ଗୁଟେରେସ୍‌ କହିଛନ୍ତି ଆନ୍ତର୍ଜାତିକ ସ୍ବୀକୃତି ପାଇଁ ତାଲିବାନ୍‌ର ଆକାଙ୍‌କ୍ଷା ଅନ୍ୟ ରାଷ୍ଟ୍ରମାନଙ୍କ ଉପରେ ନିର୍ଭର କରେ । ଆଫଗାନିସ୍ତାନରେ ତାଲିବାନ୍‌ ସମନ୍ବିତ ସରକାର ଗଠନ କରୁ ଏବଂ ବିଶେଷକରି ମହିଳାଙ୍କ ଅଧିକାର ପ୍ରତି ସମ୍ମାନ ପ୍ରଦର୍ଶନ କରୁ‌ ବ‌ୋଲି ଅନ୍ୟ ରାଷ୍ଟ୍ରମାନେ ଅଡ଼ି ବସିଛନ୍ତି ।