କନକ ବ୍ୟୁରୋ: କଲବଲ କରୁଛି କୁହୁଡି । ସକାଳୁ ସକାଳୁ ରାସ୍ତାଘାଟ ଦେଖାଯାଉନାହିଁ । କୁହୁଡି ଯୋଗୁଁ ବିଭିନ୍ନ ସ୍ଥାନରୁ ଦୁର୍ଘଟଣାର ଖବର ଆସୁଥିବା ବେଳେ ଆହୁରି ୩ ଦିନ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ତେଣୁ ଆଜି ଏବଂ ୨୧ ଓ ୨୨ ତାରିଖରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି ।

ଆଜି ସକାଳ ୮ଟା ୩୦ ଯାଏଁ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଅନୁଗୁଳ ପାଇଁ ଆଲର୍ଟ ଜାରି ହୋଇଛି । ତେବେ ଆଜି ସକାଳ ୮ଟା ୩୦ରୁ ୨୧ ତାରିଖ ୮ଟା ୩୦ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳକୁ ଆଲର୍ଟ ଜାରି ହୋଇଛି । ଘନକୁହୁଡ଼ିକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ ଓ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଏଥିସହ ଦୁର୍ଘଟଣା ଏଡ଼ାଇବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

ଓଡ଼ିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘନକୁହୁଡ଼ି ଜାରି ରହିଛି । ସେପଟେ ୨୪ ତାରିଖ ବେଳକୁ ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ୱରରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।