ଆସୁଛି ସିଙ୍ଗାପୁର ଷ୍ଟ୍ରେନ୍, ଶିଶୁଙ୍କୁ ରଖନ୍ତୁ ସୁରକ୍ଷିତ । ବିଶ୍ୱ ପାଇଁ ବିପଦ ଆଣିପାରେ ଭୂତାଣୁର ସିଙ୍ଗାପୁର ଷ୍ଟ୍ରେନ । ଛୋଟ ପିଲାଙ୍କ ପାଇଁ ଅଧିକ ଭୟଙ୍କର ଆଶଙ୍କା ।

880

କନକ ବ୍ୟୁରୋ: ବିଶ୍ୱ ପାଇଁ ନୂଆ ବିପଦ ଭାବେ ଉଭା ହୋଇଛି କରୋନା ଭୂତାଣୁର ସିଙ୍ଗାପୁର ଷ୍ଟ୍ରେନ । ଭୂତାଣୁର ଏହି ନୂଆ ଷ୍ଟ୍ରେନ ଛୋଟ ପିଲାଙ୍କ ପାଇଁ ଅଧିକ ଭୟଙ୍କର ହୋଇଥିବା ସୂଚନା ମିଳିଛି । ସେପଟେ ସିଙ୍ଗାପୁର ସରକାର ଏହି ଭୂତାଣୁ ପ୍ରଥମେ ଭାରତରେ ଦେଖାଯାଇଥିବା କହିବା ସହ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରିଛନ୍ତି ।

ବୁଧବାର ଠାରୁ ସିଙ୍ଗାପୁରରେ ସ୍କୁଲ ଓ କଲେଜକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ଘୋଷଣା କରାଯାଇଛି । ସିଙ୍ଗାପୁରର ଶିକ୍ଷାମନ୍ତ୍ରୀ କହିଛନ୍ତି, ଏହି ଭୂତାଣର ମ୍ୟୁଟାଂଟ ଅଧିକ ଭୟଙ୍କର ଏବଂ ଏହା ଛୋଟ ପିଲାଙ୍କୁ ଅଧିକ ସଂକ୍ରାମକ କରିବାର ଆଶଙ୍କା ରହିଛି । ଏହାସହ ୧୮ବର୍ଷରୁ କମ ପିଲାଙ୍କ ଟୀକାକରଣ ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଥିବା ସିଙ୍ଗାପୁରର ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ରବିବାର ଦିନ କରୋନା ଭୂତାଣୁର ୩୮ଟି ନୂଆ ମାମଲା ସିଙ୍ଗାପୁରରେ ସାମ୍ନାକୁ ଆସିଛି । ଯାହା ଗତବର୍ଷ ପରେ ସର୍ବାଧିକ । ତେବେ ସଂକ୍ରମିତ ଏହି ୩୮ଜଣଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡିଛି । ଏହାପରେ ସୋମବାର ଦିନ ୩୩୩ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାପରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ସହ ନିୟମ କଡାକଡି କରାଯାଇଛି ।

ସେପଟେ ସିଙ୍ଗାପୁର ଷ୍ଟେନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସିଙ୍ଗାପୁରକୁ ବିମାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକ ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହାସହ ଛୋଟ ପିଲାଙ୍କ ଭ୍ୟାକସିନ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି କେଜ୍ରିୱାଲ । ଏପରିକି ଭାରତରେ ଏହା ତୃତୀୟ ଲହର ଭାବେ ଆସିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।