ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କତା ଜାରି । ଘଣ୍ଟା ପ୍ରତି ୧୦୦ କିଲୋମିଟରରେ ବେଗରେ ବହିବ ପବନ । ୨୪ଘଣ୍ଟାରେ ନେବ ବାତ୍ୟାର ରୂପ ।

1,458

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳବର୍ତି ଅଂଚଳ ପାଇଁ ବାତ୍ୟା ସତର୍କତା ଜାରି କଲା ପାଣିପାଗ ବିଭାଗ । ଉପକୂଳବର୍ତି ଜିଲ୍ଲାଗୁଡିକ ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ଧିରେ ଧିରେ ଉତର ପଶ୍ଚିମ ଦିଗରେ ଗତିକରୁଛି । ୪ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତର ତାମିଲନାଡୁ ଉପକୂଳରେ ପହଂଚିବ । ଏହା ପରେ ଉତର ପଶ୍ଚିମ ଦିଗରେ ଗତି କରି ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳର ନେଲୋର ଓ ମଛଲିପଟନମ୍ ଅତିକ୍ରମ କରିବା ସମ୍ଭାବନା ରହିଛି ।

ଗତ ୬ ଘଣ୍ଟା ହେଲା ଏହା ୧୮ କିଲୋମିଟର ବେଗରେ ଗତି କରୁଛି । ବାତ୍ୟାର ପିକ ସମୟରେ ଘଂଟା ୧୦୦ କିଲୋମିଟର ବେଗର ପବନ ବହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବାତ୍ୟା ପ୍ରଭାବରେ ଓଡ଼ିଶାର ଉପକୂଳ ସମେତ ୧୫ରୁ ଅଧିକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ବର୍ଷା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି । ଆସନ୍ତାକାଲି ୪ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ ରହିଛି । ଏବଂ ୮ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା ରହିଛି । ୪ତାରିଖରେ ସେହିପରି ରାଜ୍ୟର ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ୭ରୁ ୧୧ ସେଂଟିମିଟର ବର୍ଷା ହୋଇପାରେ । ସେହିପରି ୫ତାରିଖ ପାଇଁ ୫ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଓ ୬ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୭ରୁ ୨୦ ସେଂଟିମିଟର ପର୍ଯ୍ୟନ୍ତ ହୋଇପାରେ ବର୍ଷା । ନବରଙ୍ଗପୁର, କଳାହାଣ୍ଡି, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ କନ୍ଧମାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।