ମଦ ପାଇଁ ପୋଲିସ୍ ସଙ୍ଗେ ଲଢିଗଲେ ଗାଁ ଲୋକେ ! ଲୋକଙ୍କ ସୁବିଧା ପାଇଁ ଅବୈଧ ମଦକୁ ଜବତ କଲା ପୋଲିସ୍ , ପୋଲିସ୍ କୁ ନାଲି ଆଖି ଦେଖାଇ ମଦ ଲୁଟିନେଲେ ଗାଁ ଲୋକେ । 

143

ଉତ୍ତରପ୍ରଦେଶ କୁଶୀନଗର ପୋଲିସ୍ କବଜାରୁ ମଦ ଲୁଟ୍ ହେବାର ଖବର ସାମ୍ନାକୁ ଆସିଛି । ପୋଲିସ୍ ଆଖି ଆଗରୁ ଅବୈଧ ମଦ ଲୁଟି ନେଇଛନ୍ତି ଗାଁ ଲୋକ । ଶୁକ୍ରବାର କୁଶୀନଗର ତରୟାସୁଜାନ୍ ଥାନା ନିକଟରେ ଥିବା ତିନଫେଡିୟା ବଜାରରେ ଡୋଲ୍ ମେଳା ଲାଗିଥିଲା । ବଡ଼ ଧରଣର ମେଳାକୁ ଆଖି ଆଗରେ ରଖି ପ୍ରଶାସନ ମଦବିକ୍ରିରେ ରୋକ ଲଗାଇଥିଲେ । ସରକାରଙ୍କ ଆଦେଶକୁ ମାନି ସରକାରୀ ମଦ ଦୋକାନ ବନ୍ଦ ହୋଇଥିଲେ ହେଁ ଅବୈଧ ମଦ ବ୍ୟବସାୟ ଚାଲୁ ରହିଥିଲା । ଦୋକାନରେ ଚୋରା ମଦ  ବିକ୍ରି ନ ହୋଇ ବିଲରେ ବିକ୍ରି ହେଉଥିଲା ମଦ । ଆଉ ଏହି ଖବର ପାଇବା ପରେ ଉକ୍ତ ସ୍ଥାନକୁ ପହଁଚି ଯାଇଥିଲା ପୋଲିସ୍ । ପୋଲିସ୍ କୁ ଦେଖି ବ୍ୟବସାୟୀ ଫେରାର୍ ହୋଇଥିବା ବେଳେ ମଦକୁ ସିଜ୍ କରିଥିଲେ ଥାନାବାବୁ । କିନ୍ତୁ ଆମ ଲୋକଙ୍କ କଥା ତ ଜାଣିଛନ୍ତି , ମାଗଣା ମିଳିଲେ ପିଚୁ ବି ଗିଳିଦେବେ । ବାସ୍ ଆଉ ହେବ କ’ଣ ଅବୈଧ ମଦକୁ କାହିଁକି ଜବତ କରୁଛ କହି ପୋଲିସ୍ ସହ ଯୁକ୍ତିତର୍କ କରିବା ଆରମ୍ଭ କରିଦେଲେ ।

ପୋଲିସ୍ କର୍ମୀ ଲୋକଙ୍କ କଥାକୁ ଗୁରୁତ୍ୱ ନ ଦେଇ ଥାନାକୁ ମଦ ନେବା ପାଇଁ ବାହାରନ୍ତେ ଗାଁ ଲୋକ ପୋଲିସ୍ ର ହାତରୁ ମଦ ବୋତଲ ଛଡାଇ ଆଣିଲେ । ଗାଁ ଲୋକଙ୍କ ଏଭଳି ଉତ୍ତେଜିତ ହେବା ଦେଖି ପୋଲିସ୍ କର୍ମୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ମାତ୍ର କିଛି ସମୟ ଭିତରେ ଭିଡ଼ ସବୁ ଅବୈଧ ମଦ ନେଇ ଫେରାର୍ ହୋଇଯାଇଥିଲା । ତେବେ ଏହାର ଭିଡିଓ ଭାଇରାଲ୍ ହେବା ପରେ ପୋଲିସ୍ ଏନେଇ ମାମଲା ରୁଜୁ କରିଛି ।