କରୋନା ରୋକିବ ମଦ? ସତ କଣ ଜାଣନ୍ତୁ…

15,646

କନକ ବ୍ୟୁରୋ: କାୟା ବିସ୍ତାର କରୁଛିି କରୋନା । ଭାରତରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୩୪କୁ ବୃଦ୍ଧିପାଇଥିବା ବେଳେ ସନ୍ଦିଗ୍ଧଙ୍କ ସଂଖ୍ୟା ବି ଦିନକୁ ଦିନ ବୃଦ୍ଧି ପାଉଛି । ଆଉ ଏହାରି ଭିତରେ କରୋନାକୁ ନେଇ ସାରା ଭାରତରେ ସତର୍କତା ଆହୁରୀ ବ୍ୟାପକ ହୋଇଛି ।

ଗୋଟିଏ ପଟେ ଏହି ଭୟଙ୍କର ଭୁତାଣୁକୁ ନେଇ ଦେଶରେ କୋକୁଆ ଭୟ ଖେଳିଯାଇଥିବା ବେଳେ ଏହାର ପୂରା ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ବ୍ୟକ୍ତି । ଏଇ କିଛିଦିନ ତଳର କଥା ଯଦି ଆମେ କହିବା ହଠାତ୍ ଖବର ଆସିଥିଲା କି, ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ବଡପଣ୍ଡାଙ୍କୁ ସ୍ୱପ୍ନାଗତ କରି କହିଲେ ଯେ ଯଦି କରୋନା ଭୁତାଣୁରୁ ବଂଚିବାକୁ ଚାହୁଁଛନ୍ତି ତେବେ ସୂର୍ଯ୍ୟ ଉଦୟ ପୂର୍ବରୁ ହାତଗୋଡ ଧୋଇ ୭ଟି ତୁଳସୀ ପତ୍ର ଜଗନ୍ନାଥଙ୍କ ନାଁ ନେଇ ସେବନ କରିବା ଦ୍ୱାରା ଏହି ଭୁତାଣୁର କୌଣସି ପ୍ରଭାବ ପଡିବନି । ଆଉ ଏହି ଖବର ପ୍ରଘଟ ହେବା ପରେ ପ୍ରାଣବିକଳରେ ତୁଳସୀଗଛକୁ ନଣ୍ଡା କରି ଖାଇଗଲେ ଲୋକେ । ହେଲେ ପରବର୍ତ୍ତୀ ସମୟରେ ଜଣାପଡିଥିଲା କି ତୁଳସୀ ପତ୍ର ସହ କରୋନା ଭାଇରସର କୌଣସି ସଂପର୍କ ନାହିଁ, ଏହା ସଂପୂର୍ଣ୍ଣ ମିଛ ଏବଂ ଗୁଜବ ଖବର ।

ଠିକ୍ ସେହିଭଳି ଏବେ ପୁଣି ଏକ ଖବର ବିଭିନ୍ନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଖବରଟି ହେଲା କି ମଦ୍ୟପାନ କଲେ କରୋନା ଭାଇରସ ଆପଣଙ୍କ ପାଖ ମାଡିବନି । ପ୍ରଶ୍ନ ଉଠୁଛି, କଣ ସତରେ ମଦ ପିଇଲେ କରୋନା ଭାଇରସ ସଂକ୍ରମିତ ହେବନି ? ନା ପୁଣି ଏହା କୌଣସି ମିଛ ବା ଗୁଜବ ଖବର । ତେବେ ମଦ ପିଇଲେ କରୋନା ହେବ କି ନାହିଁ ତାହା ସ୍ପଷ୍ଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା ଡବ୍ଲୁଏଚଓ । ସଂଗଠନ ପକ୍ଷରୁ କୁହାଯାଇଛି କି, ଏହା ସଂପୂର୍ଣ୍ଣ ମିଛ । କାରଣ ଶରୀରରେ ଭୁତାଣୁ ପ୍ରବେଶ କଲା ପରେ କ୍ଲୋରିନ ବା ମଦପାନ କରିବା ଦ୍ୱାରା କୌଣସି ବି ଭାଇରସ ନଷ୍ଟ ହୋଇନଥାନ୍ତି ।

ଧ୍ୟାନ ରଖିବେ କ୍ଲୋରିନ ଏବଂ ମଦ ବା ଆଲକହଲର ବ୍ୟବହାର କୀଟନାଶକ ପାଇଁ ଲାଭଦାୟୀ ହୋଇଥାଏ ସତ କିନ୍ତୁ ଏହାର ବ୍ୟବହାର ବିଶେଷଜ୍ଞଙ୍କ ପରାମର୍ଶ ନେଇ କରିବା ଉଚିତ । ଏଥିସହିତ କରୋନା ଭାଇରସରୁ ବଂଚିବା ପାଇଁ ହାତରେ ବାରମ୍ବାର ଆଲକହଲ ଯୁକ୍ତ ସାନିଟାଇଜର ବ୍ୟବହାର କରନ୍ତୁ ଏବଂ ସାବୁନ ଓ ପାଣିରେ ଭଲ ଭାବରେ ଧୁଅନ୍ତୁ । ସେହିଭଳି ଗରମ ପାଣିରେ ଗାଧୋଇବା ଦ୍ୱାରା ଆପଣ ନୂଆ କରୋନା ଭାଇରସରୁ ମଧ୍ୟ ବର୍ତ୍ତି ପାରିବେ ନାହିଁ । ଏପରିକି ଏହି ଭୟଙ୍କର ଭାଇରସ ଚାଇନା ନିର୍ମିତ କୌଣସି ବସ୍ତୁଗୁଡିକରୁ ମଧ୍ୟ ବ୍ୟାପିନଥାଏ । ତେଣୁ ଏଭଳି ଗୁଜବଠାରୁ ଲୋକଙ୍କୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ଡବ୍ଲୁଏଚଓ ।

ତେବେ କରୋନା ଭାଇରସକୁ ନେଇ ଦେଶବାସୀଙ୍କ ମନରେ ଯେଉଁ ଭୟ ଜାତ ହୋଇଛି, ସେଠି ଏଭଳି ଗୁଜବକୁ ଲୋକେ ଅତି ସହଜରେ ସତ ମାନିବସୁଛନ୍ତି । ତେଣୁ କୌଣସି ଗୁଜବକୁ ବିଶ୍ୱାସ ନକରି କେବଳ ସତର୍କତା ଅବଲମ୍ବନ କରିବା ହିଁ କରୋନା ଭାଇରସକୁ ରୋକିବାର ଏକମାତ୍ର ଉପାୟ ।