ନିର୍ବାଚନ ବେଳେ ମଦର ବନ୍ୟା ! ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଅବକାରୀ ସଚିବ, ବଢ଼ିପାରେ ନକଲି ଓ ଅବୈଧ ମଦ ବିକ୍ରି

ରାଜ୍ୟକୁ ସରଗରମ କରିଛି ସାଧାରଣ ନିର୍ବାଚନ

107

କନକ ବ୍ୟୁରୋ: ରାଜ୍ୟକୁ ସରଗରମ କରିଛି ସାଧାରଣ ନିର୍ବାଚନ। ନିର୍ବାଚନ ପ୍ରଚାର ପ୍ରସାରକୁ ବ୍ୟାପକ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଅଣ୍ଟା ଭିଡ଼ିଛନ୍ତି। ନିର୍ବାଚନରେ ଭୋଟ କିଣିବାକୁ ଟଙ୍କାବଣ୍ଟା ହେବା କିଛି ବିଚିତ୍ର ନୁହେଁ। ଏହା ଦ୍ବାରା ଗାଁ ଗଣ୍ଡା, ସହରାଞ୍ଚଳରେ ମଦ ବିକ୍ରି ବହୁ ପରିମାଣରେ ବଢ଼ିବ। ଏ ପଟେ ଦେଖିଲେ, ବିକ୍ରି ଉପରେ ନିୟନ୍ତ୍ରଣ ରଖିବ କ’ଣ, ଅଧିକ ପରିମାଣର ମଦ ବିକ୍ରି ଉପରେ ଜୋର ଦେଇଛି ଖୋଦ୍ ଅବକାରୀ ବିଭାଗ।

କାରଣ ନିକଟରେ ପ୍ରଣୟନ ହୋଇଥିବା ନୂଆ ମଦନୀତି ଅଧିକ ପରିମାଣରେ ମଦ ବିକ୍ରିକୁ ପ୍ରୋତ୍ସାହିତ କରିବା ନିଶ୍ଚିତ। ସେପଟେ ବିଭାଗ ଆଶଙ୍କା କରିଛି ଯେ ନିର୍ବାଚନ ବେଳେ ମଦ ବିକ୍ରି ଅହେତୁକ ଭାବେ ବୃଦ୍ଧି ପାଇବ। ମଦର ବନ୍ୟା ବହିବ। ଏହା ଦ୍ବାରା ଜନସାଧାରଣଙ୍କ ସ୍ବାସ୍ଥ୍ୟ ବିପନ୍ନ ହେବାର ଆଶଙ୍କାକୁ ବି ଏଡ଼ାଇହେବ ନାହିଁ। ଏପରି ପରିସ୍ଥିତିର ଫାଇଦା ଉଠାଇ ମୁନାଫାଖୋର ମଦ ବେପାରିମାନେ ନକଲି, ବିଷାକ୍ତ ମଦ ବିକ୍ରି କରିବାର ବି ଆଶଙ୍କା ଅଧିକ। ଏହି ଆଶଙ୍କା ଭିତ୍ତିରେ ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛି ଅବକାରୀ ବିଭାଗ।

ନିର୍ବାଚନ ଅବ୍ୟବହିତ ପୂର୍ବରୁ ଏ ନେଇ ଅବକାରୀ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବା ସହିତ ଭିଡିଓ କନ୍ଫରେନ୍ସିଂ ଜରିଆରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନଙ୍କୁ ନିର୍ଦେଶ ଦେଇଛନ୍ତି। ଗୁଇନ୍ଦା ବିଭାଗ ତଥ୍ୟ ଆଧାରରେ ସେ ଉଲ୍ଲେଖ କରିଛନ୍ତି, ନିକଟ ଭବିଷ୍ୟତରେ ମଦର ଚାହିଦା ଅସ୍ବାଭାବିକ ଭାବେ ବୃଦ୍ଧି ପାଇବ। ସରକାରୀ ଭାବେ ସେତେ ପରିମାଣର ମଦ ଯୋଗାଇହେବାର ସମ୍ଭାବନା ନ ଥିବାରୁ ମଦ ମାଫିଆ, ଅପରାଧୀ ତତ୍ତ୍ବମାନେ ବେଆଇନ ଭାବେ ଅପମିଶ୍ରିତ ଓ ନକଲି ମଦ ଉତ୍ପାଦନ କାରବାର କରିବାକୁ ଉତ୍ସାହିତ ହେବେ।

ଇତି ମଧ୍ୟରେ ଭାରତୀୟ ନିର୍ବାଚନ କମିସନ ପକ୍ଷରୁ ଅବକାରୀ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଭୁବନେଶ୍ବରରେ ସମୀକ୍ଷା କରିଥିବା ଶ୍ରୀ ଧଳ ତାଙ୍କ ଚିଠିରେ ଦର୍ଶାଇଛନ୍ତି। ବେଆଇନ ଭାବେ ମଦ କାରବାର କ୍ଷେତ୍ରରେ ଅବକାରୀ କାର୍ଯ୍ୟାନୁଷ୍ଠାନ ଆଦୌ ନଥିବା ଦର୍ଶାଇ କମିସନ ଉଦ୍ବେଗ ପ୍ରକାଶ କରିଛନ୍ତି। ଏଭଳି କାରବାର ଯୋଗୁଁ ଜନସାଧାରଣରେ ଶାନ୍ତି ବ୍ୟାହତ ହେବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଛି। ଉପଯୁକ୍ତ ଓ ସମୟୋପଯୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏଭଳି ପରିସ୍ଥିତିକୁ ଏଡ଼ାଇ ହେବ ବୋଲି କମିସନ ପରାମର୍ଶ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହାର ମୂଳ ବିଜ୍ଞପ୍ତି ପ୍ରକାଶ କରିଛି ଗୃହ ବିଭାଗ। ଏହି ବିଜ୍ଞପ୍ତିରେ ଓଡ଼ିଶା ଅବକାରୀ ଆଇନ, ୨୦୦୮ର ବିଭିନ୍ନ ଧାରା ଅନୁଯାୟୀ ବିଭିନ୍ନ ଶ୍ରେଣୀର ପୁଲିସ୍ ଅଧିକାରୀଙ୍କୁ କ୍ଷମତା ଦିଆଯାଇଛି। ଆଇନ ମୁତାବକ ପୁଲିସ୍ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ବିଶେଷ କରି ପୁଲିସ୍ ଥାନାର ଭାରପ୍ରାପ୍ତ ଅଧିକାରୀ ଅବକାରୀ ଅପରାଧ ସଂପର୍କିତ ତଦନ୍ତ କରିବା ସହିତ ଏହାର ନିୟନ୍ତ୍ରଣ ଦିଗରେ ବିହିତ ପଦକ୍ଷେପ ନେଇପାରିବେ। ଏଣୁ, ଏଭଳି ପରିସ୍ଥିତିରେ ଜିଲ୍ଲାପାଳମାନେ ଅତ୍ୟନ୍ତ ସତର୍କ ରହିବା ସହିତ ବିଭିନ୍ନ ସ୍ତରୀୟ ସ୍କ୍ବାଡ୍ଗୁଡ଼ିକର କାର୍ଯ୍ୟକଳାପର ସମୀକ୍ଷା କରି ଅବୈଧ ମଦ ବିକ୍ରି ଓ ନକଲି ମଦ କାରବାର ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଅବକାରୀ ବିଭାଗ ପ୍ରମୁଖ ସଚିବ ପରାମର୍ଶ ଦେଇଛନ୍ତି।