କେତେ ସୁରକ୍ଷିତ ଗର୍ଭ ଅବସ୍ଥାରେ ମଦ୍ୟପାନ, ଗର୍ଭସ୍ଥ ଶିଶୁ ଉପରେ ପଡିବ କି ପ୍ରଭାବ ?

113

କନକ ବ୍ୟୁରୋ : ସମୟ ବଦଳୁଛି । ଏହାସହିତ ତାଳଦେଇ ଆମର ଜୀବନଶୈଳୀ ବି ବଦଳିବାରେ ଲାଗିଛି । ସମୟ ଥିଲା ନିଶାପାନ କେବଳ ପୁରୁଶମାନେ କରୁଥିଲେ । ହେଲେ ଏବେ ଅଧିକାଂଶ ମହିଳାମାନେ ମଧ୍ୟ ନିଶା ସେବନ କରୁଛନ୍ତି । ବିଶେଷ କରି ଉଚ୍ଚବର୍ଗର ମହିଳାମାନେ ନିଶାସେବନ କରୁଥିବା ଦେଖିବାକୁ ମିଳୁଛି । ହେଲେ ଜଣେ ମହିଳା ଗର୍ଭବତୀ ଥିବା ବେଳେ ମଦ୍ୟପାନ କରିବା ଉଭୟ ମହିଳା ଓ ଗର୍ଭସ୍ଥ ଶିଶୁଟି ଉପରେ କଣ ପ୍ରଭାବ ପକାଇବ ତାହା ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ।

ୟୁନିଭରସିଟି ଅଫ୍ ବାୟୋମେଡିକାଲ ଇମୋଜିଂ ଡିପାର୍ଟମେଣ୍ଟ ରେଡିଓଲୋଜୀର ଆସୋସିଏଟ ପ୍ରଫେସର ଓ ଏହି ଅଧ୍ୟୟନର ଲେଖକ ଗ୍ରେଗର କ୍ରେସ୍ପିୟନ କହିଛନ୍ତି କି “ଅଧ୍ୟୟନରୁ ଜଣାପଡିଛି କି ଗର୍ଭାବସ୍ଥାରେ କମ୍ କିମ୍ବା ଅଧିକ ମଦ ପିଇଲେ ଗର୍ଭସ୍ଥ ଶିଶୁର ମାନସିକ ବିକାଶରେ ବାଧା ଦେଖାଦିଏ” । ଏହି ଅଧ୍ୟୟନ ପାଇଁ ସେମାନେ ଭୃଣ ଏମଆରଆଇର ସହାୟତା ନେଇଥିଲେ । ଏହା ମାଧ୍ୟମରେ ପିଲା ଜନ୍ମହେବା ପୂର୍ବରୁ ତାର ମସ୍ତିସ୍କର ପରିପକ୍ୱତା ଉପରେ ସଠିକ୍ ଅନୁମାନ ଲଗାଇବାରେ ସହାୟକ ହୋଇଥାଏ ।

କେବଳ ସେତିକି ନୁହେଁ ଗର୍ଭାବସ୍ଥାରେ ମଦ୍ୟପାନ କଲେ ଭୃଣ ଉପରେ ବିଭିନ୍ନ ପ୍ରକାର କୁପ୍ରଭାବ ପଡିଥାଏ । ଏହାକୁ ଫଟିଲ ଆଲକହଲ ସ୍ପେକ୍ଟ୍ରମ ଡିସଅର୍ଡର କୁହାଯାଇଥାଏ । ଏହା ପରେ ପିଲାଟି ଜନ୍ମହେଲେ ତାର ଶିଖିବାର କ୍ଷମତା ପ୍ରଭାବିତ ହୋଇଥାଏ । ଏହାସହ ତାର କଥା ହେବାରେ ମଧ୍ୟ ଅସୁବିଧା ଦେଖାଦେଇଥାଏ । ଅନ୍ୟପଟେ ଗର୍ଭାବସ୍ଥାରେ ମା ଯଦି ମଦ ପାନ କରିଥାଏ ତେବେ ପିଲାଟି ଅନ୍ୟ ପିଲାମାନଙ୍କ ତୁଳନାରେ ଅଧିକ ଆକ୍ରାମକ ହୋଇଥାଏ ।

ଏହି ଅଧ୍ୟୟନ ପାଇଁ ବୈଜ୍ଞାନିକମାନେ ୨୪ଟି ଭୃଣର ଏମଆରଆଇ ଯାଂଚ ଉପରେ ବିଶ୍ଳେଷଣ କରିଥିଲେ । ଏଥିରେ ସ୍ପଷ୍ଟ ହୋଇଥିଲା କି ମଦ୍ୟପାନ କରୁଥିବା ମା ଠାରୁ ଅଣାଯାଇଥିବା ଭୃଣର ମାନସିକ ବିକାଶ ଠିକ୍ ଭାବେ ହୋଇପାରି ନାହିଁ ।