ଅନୁଗୁଳରେ ମଦ ମୃତ୍ୟୁ ଅଭିଯୋଗ : ପଥରଗଡରେ ବିଷାକ୍ତ ମଦ ପିଅ ତିନି ଜଣଙ୍କ ମୃତ୍ୟୁ ସନ୍ଦେହ; ଘର ଛାତ ପକାଇବା ପରେ ଶ୍ରମିକମାନେ ମହୁଲି ପିଇ ହୋଇପଡିଥିଲେ ଅସୁସ୍ଥ

141

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାରେ ବିଷାକ୍ତ ମଦ ପିଇ ଦୁଇ ଦିନରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପୁରୁଣାକୋଟ ଥାନା ପଥରଗଡ ଗାଁରେ ତିନି ଜଣ ଯୁବକ ମହୁଲି ମଦ ପିଇ ଅସୁସ୍ଥ ହୋଇପଡିଥିଲେ । ଗତକାଲି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଚିକିତ୍ସାଧିନ ଅବସ୍ଥାରେ ଜଣକର ମୃତ୍ୟୁ ହୋଇଛି । ତେଣୁ ବିଷାକ୍ତ ମଦ ପିଇ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ଗତକାଲି ପଥରଗଡ ଗାଁରେ ଏକ ଘର ଛାତ ପକାଇବା କାମରେ କିଛି ଶ୍ରମିକ ନିୟୋଜିତ ହୋଇଥିଲେ । ସେଠାରୁ ଫେରିବା ପରେ ଗାଁରେ ମହୁଲି ମଦ ପିଇଥିଲେ ତିନି ଯୁବକ କାଇରା ପ୍ରଧାନ, ଟୁକୁନା ପ୍ରଧାନ ଓ ଶଶୀଭୂଷଣ ଦେହୁରୀ । ଗତକାଲି ସନ୍ଧ୍ୟାରେ କାଇରା ପ୍ରଧାନ ଅସୁସ୍ଥ ହୋଇଥିଲେ, କିଛି ସମୟ ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା ।

ବିଳମ୍ବିତ ରାତିରେ ସମାନ ଢଙ୍ଗରେ ଟୁକୁନାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ଏହାପରେ ଶଶୀଭୂଷଣଙ୍କ ଦେହ ଖରାପ ହେବାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି । ବିଷାକ୍ତ ମଦକ୍ରିୟାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।