ଅନୁଗୁଳରେ ମଦ ମୃତ୍ୟୁ ଅଭିଯୋଗ : ପଥରଗଡରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ସନ୍ଦେହ ; ଘର ଛାତ ପକାଇବା ପରେ ଶ୍ରମିକମାନେ ମହୁଲି ପିଇ ହୋଇପଡିଥିଲେ ଅସୁସ୍ଥ

400

କନକ ବ୍ୟୁରୋ : ଅନୁଗୁଳ ମଦମୃତ୍ୟୁ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ବିଷାକ୍ତ ମଦ ପିଇ ଦୁଇ ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ଆଉ ଜଣଙ୍କର ଜୀବନ ଯାଇଛି । ପୁରୁଣାକୋଟ ଥାନା ପଥରଗଡ ଗାଁରେ ତିନି ଜଣ ଯୁବକ ମହୁଲି ମଦ ପିଇ ଅସୁସ୍ଥ ହୋଇପଡିଥିଲେ । ସୋମବାର ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ଚିକିତ୍ସାଧିନ ଅବସ୍ଥାରେ ୨ ଜଣକର ମୃତ୍ୟୁ ହୋଇଛି । ବିଷାକ୍ତ ମଦ ପିଇ ସେମାନଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ସୋମବାର ପଥରଗଡ ଗାଁରେ ଏକ ଘର ଛାତ ପକାଇବା କାମରେ କିଛି ଶ୍ରମିକ ନିୟୋଜିତ ହୋଇଥିଲେ । ସେଠାରୁ ଫେରିବା ପରେ ଗାଁରେ ମହୁଲି ମଦ ପିଇଥିଲେ ୪ ଜଣ ଯୁବକ କାଇରା ପ୍ରଧାନ, ଟୁକୁନା ପ୍ରଧାନ, ପ୍ରମୋଦ ସାହୁ ଓ ଶଶୀଭୂଷଣ ଦେହୁରୀ । ସୋମବାର ସନ୍ଧ୍ୟାରେ କାଇରା ପ୍ରଧାନ ଅସୁସ୍ଥ ହୋଇଥିଲେ, କିଛି ସମୟ ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା । ବିଳମ୍ବିତ ରାତିରେ ସମାନ ଢଙ୍ଗରେ ଟୁକୁନାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା ।

ଏହାପରେ ଶଶୀଭୂଷଣ ଓ ପ୍ରମୋଦଙ୍କ ଦେହ ଖରାପ ହେବାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି । ବିଷାକ୍ତ ମଦକ୍ରିୟାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।