ଅଣସର ଘରେ ରହିବା ସମୟରେ ଅଲାରନାଥରେ ଚାଲିବ ପୂଜାର୍ଚ୍ଚନା; ବାହାରିବ କ୍ଷୀରି ଭୋଗ, ଏଥର ଭକ୍ତଙ୍କୁ ଦର୍ଶନ ମନା

104

କନକ ବ୍ୟୁରୋ : ମହାପ୍ରଭୁ ଅଣସର ଘରେ ରହିବା ସମୟରେ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନ ଆରମ୍ଭ ହୋଇଥାଏ । ଏହି ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ମହାପ୍ରଭୁ ଅଣସର ଘରକୁ ଯିବା ପରେ ହଜାର ହଜାର ଭକ୍ତ ଅଲାରନାଥଙ୍କ ଦର୍ଶନ କରିଥାନ୍ତି । ଏହି ସମୟରେ ଅଲରାନାଥଙ୍କ କ୍ଷୀରି ଭୋଗ ଲାଗି ହୋଇଥାଏ । କିନ୍ତୁ କରୋନା କଟକଣା କାରଣରୁ ଭକ୍ତଙ୍କ ଏଥର ଦର୍ଶନ ମନା ହୋଇଛି । ମନ୍ଦିର ଚାରିପଟ ବ୍ୟାରିକେଡ୍ କରି ଦିଆଯାଇଛି । ଜଣେ ହେଲେ ବି ଭକ୍ତ ଯେପରି ମନ୍ଦିର ପ୍ରବେଶ କରିନପାରନ୍ତି ସେଥିପ୍ରତି ରଖାଯାଇଛି କଡା ନଜର ।

ଅଣସର ୧୫ ଦିନ ପାଇଁ ସମସ୍ତ ନୀତିକାନ୍ତି ସ୍ଥିର ହୋଇଛି। ଭୋର୍‌ ୪ଟାରେ ଦ୍ବାର ଫିଟା ଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ବାରପାଳ ପୂଜା, ଗୋପାଳବଲ୍ଲଭ ସକାଳ ୬ଟା ସୁଦ୍ଧା ବଢ଼ିବ। ସୂର୍ଯ୍ୟପୂଜା, ରୋଷହୋମ ନୀତି ସକାଳ ୭ଟା ସୁଦ୍ଧା ବଢ଼ିବ। ମଧ୍ୟାହ୍ନ ୧୨ଟାରେ ସକାଳ ଧୂପ ଏବଂ ଗୋଟାଏରେ ଦ୍ବିପ୍ରହର ଧୂପ ବଢ଼ି ଅପରାହ୍ଣ ୨ଟାରେ ପହଡ଼ ହେବ। ଅପରାହ୍ଣ ୩ଟାରେ ପହଡ଼ ଖୋଲାଯିବ। ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆଳତି, ମଇଲମ ବଢ଼ି ରାତି ୮ଟାରେ ସନ୍ଧ୍ୟା ଧୂପ ଉଠିବ। ରାତି ୯ଟାରେ ବଡ଼ସିଂହାର ବେଶ ଓ ଧୂପ ନୀତି ବଢ଼ି ରାତି ୧୦ଟାରେ ଶ୍ରୀଜୀଉଙ୍କ ପହଡ଼ ନୀତି ବଢ଼ିବ ବୋଲି ସେବାୟତ ନିଯୋଗ ପକ୍ଷରୁ ସ୍ଥିର ହୋଇଛି।