ବ୍ରଜରାଜନଗର ପାଇଁ ବିଜେଡି ଖୋଲିଲା କାର୍ଡ । ଦିବଙ୍ଗତ କିଶୋର ମହାନ୍ତିଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କଲା ଦଳ, ବିଜେପିରୁ ରାଧାରାଣୀ ଓ କଂଗ୍ରେସରୁ କିଶୋର ଦେବେ ଟକ୍କର ।

120

କନକ ବ୍ୟୁରୋ : ଶେଷରେ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ପଶ୍ଚିମ ଓଡିଶାର ପ୍ରମୁଖ ଚେହେରା ସ୍ୱର୍ଗତ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତି ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ କିଶୋର ପଟେଲଙ୍କୁ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଛି । ୨୦୧୯ରେ କିଶୋର ମହାନ୍ତିଙ୍କ ବିରୋଧରେ ଲଢି ଅଳ୍ପ ବ୍ୟବଧାନରେ ହାରିଥିବା ରାଧାରାଣୀ ଏହି ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ଏବେ ଏଠାରେ ଅଳକା, ରାଧାରଣୀ ଓ କିଶୋରଙ୍କ ମଧ୍ୟରେ ଟକ୍କର ହେବ ।

ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ଅବର୍ତମାନରେ ବ୍ରଜରାଜନଗର ଲଢେଇ ପାଇଁ ସବୁଠାରୁ ଦମଦାର ପ୍ରାର୍ଥୀ ଚୟନ କରିବାକୁ ଯାଇ ଅଳକା ମହାନ୍ତିଙ୍କ ଉପରେ ଦଳ ବିଶ୍ୱାସ କରିଛି । ପ୍ରଥମ ଥର ପାଇଁ ୨୦୧୯ରେ ବିଜେଡି ଏହି ଆସନ ଅକ୍ତିଆର କରିଥିବାବେଳେ ଏଥର ଅନୁକମ୍ପାମୂଳକ ଭୋଟ ହାତେଇବା ଲକ୍ଷ୍ୟରେ ଅଛି ଦଳ । ଆଉ ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଅଳକା ମହାନ୍ତି । ସମସ୍ତଙ୍କୁ ନେଇ ପ୍ରଚାର ମୈଦାନକୁ ଯିବେ ବୋଲି କହିଛନ୍ତି ବିଜେଡି ପ୍ରାର୍ଥୀ ।

ସେପଟେ ରାଧାରଣୀ ପଣ୍ଡା ବିଜେଡିକୁ ଟକ୍କର ଦେବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ୨୦୧୪ରେ ଏହି ଆସନରୁ ବିଧାୟିକା ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ ରାଧାରାଣୀ । କିନ୍ତୁ ୨୦୧୯ରେ ଅଳ୍ପ ବ୍ୟବଧାନରେ ହାରିଥିଲେ ବି ସ୍ଥାନୀୟ ଅଂଚଳରେ ତାଙ୍କର ରାଜନୈତିକ ଗତିବିଧି ଜାରି ରଖିଥିଲେ । ବିଳମ୍ବ ହେଲେ ବି ସେହି ପୁରୁଣା ମୁହଁ କିଶୋର ପଟେଲ ନାଁରେ ମୋହର ମାରିଛି କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ । କିଶୋରଙ୍କ ପ୍ରାର୍ଥୀତ୍ୱକୁ ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା । ତାଙ୍କ ନାଁକୁ କେନ୍ଦ୍ରୀୟ ନେତୃତ୍ୱ ପାଖକୁ ପଠାଯାଇଥିଲା ।

ବ୍ରଜରାଜନଗର ପାଇଁ ବିଜେଡି ପ୍ରସ୍ତୁତ କରିଛି ବଡ ପ୍ଲାନ । ୩୮ଟି ପଂଚାୟତକୁ ଜଗିବେ ଛାତ୍ର, ଯୁବ ଓ ଛାମୁଆ ସଙ୍ଗଠନ । ନିର୍ବାଚନ ପରିଚାଳନା ପାଇଁ ଏକ ୧୨ଜଣିଆ କମିଟି ଗଠନ କରିଛି ବିଜେଡି, ଯେଉଁଥିରେ ପ୍ରଣବ ପ୍ରକାଶ ଦାସ, ନବ ଦାସ, ସୁଶାନ୍ତ ସିଂ, ସୁବାସ ସିଂ ଓ ୧୪ରୁ ଅଧିକ ବିଧାୟତଙ୍କୁ ଦାୟିତ୍ୱ ମିଳିଥିବା ନେଇ ସୂଚନା ମିଳିଛି ।