ହିଜାବ ବିବାଦରେ ଅଲ-କଏଦାର ବୟାନ: ଭିଡିଓ ଜାରି କରି ରଲେ କର୍ଣ୍ଣାଟକ ଯୁବତୀଙ୍କ ପ୍ରଶଂସା

187

କନକ ବ୍ୟୁରୋ: କର୍ଣ୍ଣାଟକ ହିଜାବ ବିବାଦରେ ଅନ୍ତର୍ଜାତୀୟ ଆତଙ୍କୀ ସଙ୍ଗଠନ ଅଲ-କଏଦାର ଏଂଟ୍ରି । ସଙ୍ଗଠନର ମୁଖ୍ୟ ଅଲ – ଜୱାହିରି ଏକ ଭିଡିଓ ଜାରି କରି ହିଜାବ ବିବାଦରେ ସ୍ୱର ଉଠାଇଥିବା କର୍ଣ୍ଣାଟକ ମୁସଲମିମ୍ ଯୁବତୀଙ୍କ ପ୍ରଶଂସା କରିଛି । ଘଟଣାକୁ ନେଇ ଦେଶରେ ପୁଣିଥରେ ହିଜାବ ବିବାଦ ଉପରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ଅନ୍ତର୍ଜାତୀୟ ଆତଙ୍କୀ ସଂଗଠନ ଅଲ-କଏଦାର ମୁଖ୍ୟ ଅଲ – ଜୱାହିରି ଭାରତରେ ହୋଇଥିବା ହିଜାବ ବିବାଦକୁ ନେଇ ଏକ ଭିଡିଓ ଜାରି କରିଛି । ଭିଡିଓରେ ଯେଉଁ ମୁସଲମାନ ଯୁବତୀ ଓ ମହିଳା ମାନେ ହିଜାବ ପାଇଁ ସ୍ୱର ଉଠାଇଛନ୍ତି ସେମାନଙ୍କ ପ୍ରଶଂସା କରିଛି । ୯ ମିନିଟ୍ର ଏହି ଭିଡିଓରେ ସେ କର୍ଣ୍ଣାଟକ କଲେଜର ଛାତ୍ରୀଙ୍କ ପ୍ରଶଂସା କରିଛି । ଦେଶରେ ହିଜାବ ପ୍ରସଙ୍ଗକୁ ନେଇ ମାମଲା ସୁପ୍ରିମକୋର୍ଟରେ ପହଁଚିଥିବାବେଳେ ଏଥିରେ ଅନ୍ତର୍ଜାତୀୟ ଆତଙ୍କୀ ସଂଗଠନର ପ୍ରତିକ୍ରିୟା ମାମଲାକୁ ଆହରି ବିବାଦୀୟ କରିଛି ।

ଜାନୁୟାରୀ ମାସରେ କର୍ଣ୍ଣାଟକ କଲେଜରୁ ପ୍ରଥମେ ହିଜାବକୁ ନେଇ ବିବାଦ ସାମ୍ନାକୁ ଆସିଥିଲା । କଲେଜ୍ରେ ମୁସଲମାନ ଛାତ୍ରୀ ହିଜାବ ପିନ୍ଧି ଶ୍ରେଣୀଗୃହରେ ପ୍ରବେଶ କରିବେ ବୋଲି ଅନଶନରେ ବସିଥିଲେ । ମୁସଲମାନ ଛାତ୍ରୀଙ୍କ ଏହି ପ୍ରତିବାଦ ଭିତରେ କଲେଜର ଜଣେ ଛାତ୍ରୀ ମୁସକାନ ଖାନଙ୍କ ଭିଡିଓ ଭାଇରାଲ ହୋଇଥିଲା । ଗେରୁଆ ଗାମୁଛା ପିନ୍ଧି ଜୟ ଶ୍ରୀରାମ ନାରା ଦେଉଥିବା ଛାତ୍ରଙ୍କ ସାମ୍ନାରେ ଆଲ୍ଲା-ହୁ-ଅକବର ନାରା ଦେଇଥିଲେ ମୁସକାନ । ଆଉ ତାଙ୍କର ଏହି ଉଦ୍ୟମକୁ ଆତଙ୍କବାଦୀ ସଂଗଠନର ମୁଖ୍ୟ କରିଛନ୍ତି ପ୍ରଶଂସା ।

ଅଲ – ଜୱାହିରି, ଓସାମା ବିନ୍ ଲାଡେନ୍ଙ୍କ ବେଶ ଘନିଷ୍ଠ । କୁହାଯାଏ ୯/୧୧ ନ୍ୟୁୟର୍କ ଆକ୍ରମଣରେ ଜୱାହିରିର ମଧ୍ୟ ହାତ ଥିଲା । ଫଳରେ ଆମେରିକା ଜୱାହିରିକୁ ଅଭିଯୁକ୍ତ ବୋଲି ଘୋଷଣା କରିଛି । ଲାଡେନର ମୃତ୍ୟୁ ପରେ ଅଲ କଏଦାର ମୁଖିଆ ଭାବେ ଜଣା ଯାଉଛି ଜୱାହିରି ।