କନକ ବ୍ୟୁରୋ : ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓୟୁଏଟିର ଶୈକ୍ଷିକ କୃଷି ଫାର୍ମରେ ଭୂମିପୂଜା କରିବା ସହ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ । ହାତରେ ଲଙ୍ଗଳ ଧରି ଜଗା ବଳିଆ ବଳଦ ସାହାଯ୍ୟରେ ଅଖିମୁଠି ଅନୁକୂଳ କରିଛନ୍ତି । ଆଜିର ଦିବସକୁ କୃଷକ ଦିବସ ଭାବେ ପାଳନ କରୁଛନ୍ତି ରାଜ୍ୟ ସରକାର ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢୀ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଯୋଗଦେଇଥିଲେ । ସେହିଭଳି ଖୋର୍ଦ୍ଧା ଛତାବରରେ ଅଖିମୁଠି ଅନୁକୂଳ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ଏହି ସମୟରେ ତାଙ୍କର ଦୁଇ ପୁଅ ସିଦ୍ଧାର୍ଥ ଓ ମନ୍ମଥ ଉପସ୍ଥିତ ଥିଲେ । ଦୁଇ ପୁଅ ଦୁଇଟି ହଳ ସାହାଯ୍ୟରେ ପାରମ୍ପାରିକ ବେଶଭୂଷାରେ ଚାଷ କରିଥିଲେ । ବ୍ରାହ୍ମଣଙ୍କ ଦ୍ୱାରା ପୂଜା ପାଠ ପରେ ଅଖିମୁଠି ବୁଣିଥିଲେ ସୁର ରାଉତରାୟ ।
Follow Us