ରାଜନୀତିରେ ଓଡିଆ ସଙ୍ଗୀତର ମୁକୁଟ ବିହୀନ ସମ୍ରାଟ ! କଟକ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ ଅକ୍ଷୟ ମହାନ୍ତି । 

251

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଓଡ଼ିଶାର ଚିରସବୁଜ ଗାୟକ ଅକ୍ଷୟ ମହାନ୍ତିଙ୍କର ‘‘ସାଇର ପିଲେ ସକାଳୁ କଲେ କବାଟ ଖଟଖଟ୍…’’ ଗୀତଟି ଓଡ଼ିଶାର ଘରେ ଘରେ ପରିଚିତ । ନିର୍ବାଚନ ପ୍ରଚାରର ପରିବେଶକୁ ନେଇ ରଚିତ ଏହି ସୁନ୍ଦର ଗୀତଟିରେ ସାହିର ପିଲାମାନେ ଅଜା ଓ ଆଈଙ୍କୁ ସେମାନେ କାହାକୁ ଭୋଟ୍ ଦେବେ ବୋଲି ପଚାରିବାରେ ବୁଢ଼ାବୁଢ଼ୀ ହଠାତ୍ ଉତ୍ତର ଦେଇପାରୁନାହାନ୍ତି । ଗୀତ ଶେଷରେ ଆଈ ହସିହସି ଅଜାଙ୍କୁ କହୁଛି, ‘‘ତମେ ମୋତେ ଦିଅ ଭୋଟ୍, ମୁଁ ତମକୁ ଦେବି ଭୋଟ୍’’। ସମକାଳୀନ ଜନଜୀବନକୁ ନେଇ ଚଟୁଳ ବ୍ୟଙ୍ଗ ଓ ମଧୁର ବକ୍ରୋକ୍ତିଭରା ଏମିତି ଅନେକ ଗୀତ ଗାଇଛନ୍ତି ଅକ୍ଷୟ ମହାନ୍ତି । କିନ୍ତୁ ସେ ଯେ ନିଜେ କେବେ ନିର୍ବାଚନ ରାଜନୀତିକୁ ଓହ୍ଲାଇଥିବେ, ଏ କଥା ହୁଏତ ଅନେକ ବିଶ୍ୱାସ କରିପାରିବେ ନାହିଁ ।

କିନ୍ତୁ କଥାଟି ସତ । ସେ ନିର୍ବାଚନ ଲଢ଼ିଥିଲେ ୧୯୭୧ରେ । ପୁଣି ଠିକ୍ ସେହି ସମୟରେ ନିର୍ବାଚନକୁ ଓହ୍ଲାଇଥିଲେ ଓଡ଼ିଶାର ଖ୍ୟାତନାମା ଅଭିନେତା ଓ ଚଳଚ୍ଚିତ୍ର ପ୍ରଯୋଜକ ଧୀର ବିଶ୍ୱାଳ । ଉଭୟେ ଲଢ଼ୁଥିଲେ କଟକରୁ ଏବଂ ଉଭୟେ ଥିଲେ ନିର୍ଦ୍ଦଳୀୟ ପ୍ରାର୍ଥୀ । କିନ୍ତୁ ସେମାନେ ପରସ୍ପର ବିରୋଧରେ ଲଢ଼ୁନଥିଲେ । ଅକ୍ଷୟ ମହାନ୍ତି କଟକ ଲୋକସଭା ଆସନରୁ ପ୍ରତିଦ୍ଵନ୍ଦ୍ୱିତା କରୁଥିଲାବେଳେ ଧୀର ବିଶ୍ୱାଳ ଲଢ଼ୁଥିଲେ କଟକ ସହର ବିଧାନସଭା ଆସନପାଇଁ ।

ପ୍ରଯୋଜକ ଓ ଅଭିନେତା ଧୀର ବିଶ୍ୱାଳଙ୍କର ଜନ୍ମ ୧୯୨୧ ମସିହାରେ ହୋଇଥିଲା ବେଳେ ଅକ୍ଷୟ ମହାନ୍ତିଙ୍କର ଜନ୍ମ ୧୯୩୬ରେ । ଅର୍ଥାତ୍ ଧୀର ବିଶ୍ୱାଳ ଅକ୍ଷୟଙ୍କ ଠାରୁ ୧୫ ବର୍ଷ ବଡ଼ । ମାତ୍ର ଉଭୟଙ୍କ ଭିତରେ ଥିଲା ଅତି ଘନିଷ୍ଠ ସମ୍ପର୍କ ଏବଂ ଉଭୟଙ୍କର କର୍ମଭୂମି ଥିଲା କଟକ । ଅକ୍ଷୟ ଥିଲେ ବହୁବିଧ ପ୍ରତିଭାର ଅଧିକାରୀ । ଗାୟକ, ଗୀତିକାର ଓ ସଂଗୀତକାର ରୂପେ ସେତେବେଳକୁ ସେ ଓଡ଼ିଶାରେ ଜନପ୍ରିୟତାର ଶୀର୍ଷରେ ଥାଆନ୍ତି । ଠିକ୍ ସେହିପରି ଧୀର ବିଶ୍ୱାଳ ମଧ୍ୟ ‘ପଞ୍ଚସଖା ପିକଚର୍ସ’ ବ୍ୟାନରରେ ଅନେକ ଗୁଡ଼ିଏ ହିଟ୍ ଚଳଚ୍ଚିତ୍ର ଭେଟି ଦେଇ ସାରିଥାନ୍ତି ସେତେବେଳକୁ । ଜଣେ ଜନପ୍ରିୟ ଅଭିନେତା ହିସାବରେ ଘରେ ଘରେ ତାଙ୍କର ବହୁତ ଆଦର ।

୧୯୭୧ ମସିହା ମାର୍ଚ୍ଚ ୫ ତାରିଖରେ ଓଡ଼ିଶାରେ ଏକକାଳୀନ ୧୪୦ଟି ବିଧାନସଭା ଓ ୨୦ଟି ଲୋକସଭା ଆସନ ପାଇଁ ନିର୍ବାଚନ ହେଉଥାଏ । ବିଜୁ ପଟ୍ଟନାୟକଙ୍କର ନବଗଠିତ ‘ଉତ୍କଳ କଂଗ୍ରେସ’ ଦଳ ତରଫରୁ ଉଭୟ କଟକ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରତିଦ୍ଵନ୍ଦ୍ୱିତା କରୁଥାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ର । ବିଧାନସଭା କ୍ଷେତ୍ରରେ ବୀରେନଙ୍କର ମୁଖ୍ୟ ପ୍ରତିଦ୍ଵନ୍ଦ୍ୱୀ ଥାଆନ୍ତି, କଂଗ୍ରେସ ପ୍ରାର୍ଥୀ ଭୈରବ ଚନ୍ଦ୍ର ମହାନ୍ତି ଏବଂ ଲୋକସଭା କ୍ଷେତ୍ରରେ ତାଙ୍କୁ ଟକ୍କର ଦେଉଥାନ୍ତି କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକ । ବିଧାନସଭା ଆସନ ପାଇଁ ଅନ୍ୟମାନଙ୍କ ମଧ୍ୟରେ ସି.ପି.ଆଇର ପ୍ରବୀର ପାଲିତ୍ ଓ ପି.ଏସ୍.ପି ର ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ନିର୍ବାଚନ ରଣାଙ୍ଗନରେ ଥିବାବେଳେ ଲୋକସଭା ଆସନପାଇଁ ଲଢ଼େଇରେ ଥାଆନ୍ତି ପି.ଏସ୍.ପି ର ଟାଣୁଆ ନେତା ବିଶ୍ୱନାଥ ପଣ୍ଡିତ । ଏଭଳି ସଂଘର୍ଷପୂର୍ଣ୍ଣ ଲଢ଼େଇରେ ରାଜନୀତିକୁ ନୂଆକରି ଓହ୍ଲାଇଥିବା ଅକ୍ଷୟ ଓ ଧୀର ବିଶ୍ୱାଳଙ୍କ ପାଇଁ ପରିସ୍ଥିତି ଆଦୌ ସହଜ ନଥିଲା । ନିଜ ନିଜ କ୍ଷେତ୍ରରେ ବିପୁଳ ଜନପ୍ରିୟତା ହାସଲ କରିଥିଲେ ମଧ୍ୟ ଉଭୟେ ପରାଜିତ ହୋଇଥିଲେ ।

କଟକ ସହର ବିଧାନସଭା ଆସନରେ ଲଢ଼ୁଥିବା ୧୧ ଜଣ ପ୍ରତିଦ୍ଵନ୍ଦ୍ୱୀଙ୍କ ମଧ୍ୟରେ ଧୀର ବିଶ୍ୱାଳ ରହିଲେ ଷଷ୍ଠ ସ୍ଥାନରେ । ଏଥିରେ କଂଗ୍ରେସର ଭୈରବ ଚନ୍ଦ୍ର ମହାନ୍ତି ବିଜୟୀ ହୋଇଥିଲେ । ସେହିପରି କଟକ ଲୋକସଭା ଆସନରେ ଅକ୍ଷୟ ମହାନ୍ତି ୮୨୨୭ଟି ଭୋଟ ପାଇ ରହିଲେ ପଞ୍ଚମ ସ୍ଥାନରେ । ଏଥିରେ କଂଗ୍ରେସ ପ୍ରାର୍ଥୀ ଜାନକୀ ବଲ୍ଲଭ ପଟ୍ଟନାୟକ ବିଜୟୀ ହୋଇଥିଲେ । ତେବେ ଏହି ନିର୍ବାଚନ ଲଢ଼େଇ ମତଦାତାମାନଙ୍କ ପାଇଁ ଥିଲା ଅତ୍ୟନ୍ତ ରୋମାଞ୍ଚକର । ସେମାନେ ଦୁଇ ଦୁଇ ଜଣ ଜନପ୍ରିୟ କଳାକାରଙ୍କୁ ଭେଟିଥିଲେ ରାଜନୀତିର ରଙ୍ଗମଞ୍ଚରେ । ଉଭୟ ଧୀର ବିଶ୍ୱାଳ ଓ ଅକ୍ଷୟ ମହାନ୍ତି ବିଧାନସଭା ଓ ଲୋକସଭା ପାଇଁ ଅଲଗା ଅଲଗା ଲଢ଼ୁଥିବାରୁ ପରସ୍ପରକୁ ଭୋଟ ଦେଇଥିବେ ବୋଲି ଆଶା କରାଯାଇପାରେ। ‘ତମେ ମୋତେ ଦିଅ ଭୋଟ୍, ମୁଁ ତମକୁ ଦେବି ଭୋଟ୍’ କଥାଟା ହୁଏତ ସତ ହୋଇଯାଇଥାଇପାରେ ସେତେବେଳେ।