୨୬ ତାରିଖରେ ଅକ୍ଷୟ ତୃତୀୟା ହେଲେ ଏଯାଏ ଚାଷୀର ଆବଶ୍ୟକ ବିହନ ଯୋଗାଇପାରିଲାନି ନିଗମ; ଗବେଷଣାରୁ ବାହାରୁଥିବା ନୂଆ ବିହନ କିଭଳି ପାଇବ ଚାଷୀ

236

କନକ ବ୍ୟୁରୋ: ଯେସା କର, ତେସା କର। ଅମୁକ ଅଧିକାରୀ ଯାଇ ଚାଷୀଙ୍କ ସହିତ କଥା ହେବେ, ସମୁକ ନୋଡ଼ାଲ ଅଫିସର ତଦାରଖ କରି ରିପୋର୍ଟ ଦେବେ। କରୋନା କଟକଣା ଜାଲରୁ ମୁକୁଳିବା ପରେ ଚାଷକୁ ନେଇ ଗତ ଦୁଇ ଚାରିଦିନ ହେଲା, ସରକାର ଏମିତି ତମ୍ବିତୋଫାନ କରୁଛନ୍ତି। କୃଷି ଭବନରେ ବାବୁଙ୍କୁ ବସାଇ ଏମିତି ଘଣ୍ଟା ଘଣ୍ଟା ଭାଷଣ ଶୁଣାଉଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ଏ କଥା ନ ଶୁଣିଲେ, ଏମିତି କାର୍ଯ୍ୟାନୁଷ୍ଠାନ ହେବ, ସେ କଥା ନକଲେ ପରିଣାମ ପାଇଁ ଦାୟୀ ରହିବ, ଏଭଳି ଚେତାବନୀ ବି ଦିଆଯାଉଛି।

ହେଲେ ସରକାରଙ୍କ ଏଭଳି ତନାଘନା କିନ୍ତୁ ଚାଷୀଙ୍କ ମନକୁ ଯାଉନି। କୃଷି ବିଜ୍ଞାନୀମାନେ ମଧ୍ୟ ସରକାରଙ୍କ ପଦକ୍ଷେପ ଉପରେ ଆଙ୍ଗୁଠି ଉଠାଇବା ଆରମ୍ଭ କଲେଣି। ଏଇଥିପାଇଁ ଯେ ସରକାର ଚାଷ କରିବେ ବୋଲି ପାଗ ଭିଡିଛନ୍ତି ସତ, ହେଲେ ବିହନ ଚିନ୍ତା କରିନାହାନ୍ତି। ବିହନ (ପାରମ୍ପରିକ) ଏଥର ବି ଚାଷୀ ନିଜେ ଯେତିକି ଯେମିତି ଯୋଗାଡ଼ କରିବ, ସେମିତି ଚାଷ କରିବ; ଠିକ୍ ପୂର୍ବବର୍ଷମାନଙ୍କ ଭଳି।

ଅର୍ଥାତ୍ ଚାଷ ଲାଭଜନକ ହେବ ବୋଲି କୃଷି ବିଭାଗ ଯେଉଁ ଚିତ୍ର ଆଙ୍କୁଛନ୍ତି, ତା ପଛରେ ବାସ୍ତବତା କମ୍, ପ୍ରଚାର ଅଧିକ ଏକଥା ଏବେଠାରୁ ଜଳ ଜଳ ହୋଇ ଦିଶିଲାଣି। ଯେଉଁପର୍ଯ୍ୟନ୍ତ ଅଧିକ ଉତ୍ପାଦନକ୍ଷମ ବିହନ ଯୋଗାଇ ଦିଆଯାଇପାରିବ ନାହିଁ, କେଉଁ ଜିଲ୍ଲାର ମାଟିରେ କେତେ ଦିନର ଧାନ ହେବ, ତାହାକୁ ଲକ୍ଷ୍ୟ କରି କୃଷି ବିଭାଗ ଚାଷୀ ପାଖରେ ସେହି ରକମର ବିହନ ପହଞ୍ଚାଇପାରିବ ନାହିଁ, ସେଯାଏ ଏସବୁ ଧୂଆଁବାଣ ବୋଲି ଜଣେ କୃଷି ବିଶେଷଜ୍ଞ ମତ ରଖିଛନ୍ତି। କେବଳ ସେତିକି ନୁହେଁ, ସରକାରଙ୍କ ପଦକ୍ଷେପ ଚାଷୀକୁ ଆଶ୍ବସ୍ତ ନ କରିବା ପଛର କାରଣ ହେଉଛି, ରାଜ୍ୟରେ ପାଖାପାଖି ୩୬ଲକ୍ଷ ହେକ୍ଟର ଜମିରେ ଖରିଫ୍ ଧାନ ଫସଲ ହୋଇଥାଏ। ଓଡ଼ିଶା ଭଳି ରାଜ୍ୟରେ ୬୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି, ଯେଉଁଥିରୁ ସିଂହଭାଗ ଧାନ ଫସଲ ସହିତ ଯୋଡି ହୋଇରହିଛନ୍ତି। ଏତିକି ଧାନ ଜମିରେ ଚାଷ କରିବା ପାଇଁ ଚାଷୀକୁ ୧୮ଲକ୍ଷ କ୍ବିଣ୍ଟାଲ ଧାନ ବିହନ ଦରକାର।

ସରକାରଙ୍କ କୃଷି ବିଭାଗର ତଥ୍ୟ କହୁଛି, ଏଯାଏ ସରକାରଙ୍କ ବିହନ ନିଗମ ବହୁତ ଭିଡ଼ାଭିଡ଼ି କରି ମାତ୍ର ୪ଲକ୍ଷ କ୍ବିଣ୍ଟାଲ ଧାନ ବିହନ ଯୋଗାଇ ପାରୁଛନ୍ତି। ଅର୍ଥାତ୍ ୧୪ଲକ୍ଷ କ୍ବିଣ୍ଟାଲ ବିହନ ଚାଷୀ ନିଜ ପାଇଁ ନିଜେ ସଂଗ୍ରହ କରିବ। ଯଦି ବାସ୍ତବ ଚିତ୍ର ଏୟା, ତେବେ ସେ ବିହନ ନିଗମ ରହିବ କାହିଁକି? କାହା ସ୍ବାର୍ଥରେ ଏହି ନିଗମ କାର୍ଯ୍ୟ କରୁଛି? ‘୫ଟି’କୁ କୃଷି ବିଭାଗ କିଭଳି ମାନୁଛି, ଏହାକୁ ଗୋଟିଏ ଉଦାହରଣ ଭାବେ ନେଲେ, ଯେ କେହି ବୁଝିପାରିବ। ଏସବୁ ନିଗମରେ ରାଜନୈତିକ ନେତା ଓ ବଡ଼ ବାବୁମାନେ ପୋଷା ହେବେ କାହିଁକି? ସେହିଭଳି ମନ୍ତ୍ରୀ ଚାଷକୁ େନଇ ଯେମିତି ଗର୍ଜନ କରୁଛନ୍ତି, ଆରମ୍ଭରୁ ଉଦ୍ୟମ କରିଥିଲେ ଏଇ ବର୍ଷକ ମଧ୍ୟରେ ଆଉ କିଛି ଲକ୍ଷ କ୍ବିଣ୍ଟାଲ ବିହନ ଉତ୍ପାଦନ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇପାରିଥାନ୍ତା। ପୂର୍ବରୁ ମଧ୍ୟ କୃଷି ବିଭାଗ ଦାୟିତ୍ବରେ ଥିବା ମନ୍ତ୍ରୀମାନେ ଏଭଳି ଗୁରୁତ୍ବପୂର୍ଣ୍ଣ କଥାକୁ ମଧ୍ୟ ଅଣଦେଖା କରିଥିବାର ନଜିର ରହିଛି।

ଆସନ୍ତା ୨୬ ତାରିଖ ଦିନ ଅକ୍ଷୟ ତୃତୀୟା। ଚାଷୀ ସେହିଦିନ ବିଲକୁ ଯାଇ ଅଖିମୁଠି ଅନୁକୂଳ କରିବ। ଧାନ ବିହନ ଦରକାର। ସମୟ ହାତରେ ମାତ୍ର ଗୋଟିଏ ସପ୍ତାହ। ବିହନ କୁଆଡୁ ଆସିବ? କେବେ ଜିଲ୍ଲାମାନଙ୍କୁ ପଠାଯିବ? କେବେ ଗାଁ ମୁଣ୍ଡରେ ଚାଷୀ ପାଖରେ ଏହା ପହଞ୍ଚିବ? ନୋଡ଼ାଲ ଅଫିସର ଯାଇ କ’ଣ ଦେଖିବେ? ଚାଷୀ ପାଖରେ ଯେଉଁ ମିଶା ବିହନ ଅଛି, ତା କାରଣରୁ ଉତ୍ପାଦନ କମୁଛି। ମଣ୍ଡିରେ ଧାନ ବିକ୍ରି ବେଳେ ଚାଷୀକୁ ଢେର୍ ସମସ୍ୟା ସାମ୍ନା କରିବାକୁ ହେଉଛି। ମିଶା ଧାନ କହି ଧାନର ଅବମୂଲ୍ୟାୟନ କରାଯାଉଛି। ଏଭଳିସ୍ଥଳେ ଚାଷୀ କିଭଳି ଦି’ ପଇସା ପାଇବ?

ସର୍ବୋପରି ରାଜ୍ୟ ସରକାର, ଓୟୁଏଟି ପ୍ରମୁଖ ବିଭିନ୍ନ କିସମର ଯେଉଁ ବିହନ ଗବେଷଣା ଚଳାଇଛନ୍ତି, ତାହା କାହା କାମରେ ଲାଗୁଛି ବୋଲି ଏବେ ପ୍ରଶ୍ନ ଉଠିଲାଣି। ନୂଆ ନିଆ କିସମର ଧାନ କେବଳ ଗବେଷଣା ରିପୋର୍ଟରେ ରହୁଛି, ଗଣମାଧ୍ୟମରେ ପ୍ରକାଶ ପାଉଛି ନା ଚାଷୀ ପାଖରେ ପହଞ୍ଚୁଛି। ନୂଆ ବିହନ ସଂପର୍କରେ ସରକାର ଚାଷୀକୁ ଯେଉଁ ସୂଚନା ଦେଉଛନ୍ତି, ସେସବୁ ସେ ପାଇବ କେମିତି? ଏଭଳି ମାଳ ମାଳ ପ୍ରଶ୍ନ ଚାଷୀ ମହଲକୁ ଆନ୍ଦୋଳିତ କଲାଣି।

Comments are closed.