କାଲି ରାସ୍ତାରେ ଭିକ ମାଗୁଥିଲେ, ଆଜି ଭୋକିଲାଙ୍କ ଭୋକ ଦୂର କରୁଛନ୍ତି । ଜୀବନ ଜିଇଁବାକୁ ରାସ୍ତାକଡରେ ସଂଘର୍ଷ କରୁଥିବା ଲୋକେ, ଆଜି ଅସହାୟଙ୍କ ସାହାରା ସାଜିଛନ୍ତି ।

288

କନକ ବ୍ୟୁରୋ : ଭୋକ କେତେ କଷ୍ଟ ଦିଏ, ଖାଦ୍ୟ ପାଇଁ କେମିତି ସଂଘର୍ଷ କରିବାକୁ ହୁଏ, ତାହା ଏମାନଙ୍କୁ ଆଉ କିଏ ବା ଅଧିକ ଜାଣିଥିବ । ଆଉ ସେଇଥିପାଇଁ ତ ଯିଏ କାଲି ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଥିଲେ, ଆଜି ସିଏ ଅନେକ ଅସହାୟଙ୍କ ସାହାରା ସାଜିଛନ୍ତି । ଜୀବନ ଜିଇଁବାକୁ ଯିଏ କାଲି ରାସ୍ତାକଡରେ ହାତପାତି ଭିକ ମାଗୁଥିଲେ, ଆଜି ସିଏ ଦୁଃଖକଷ୍ଟରେ ଥିବା ଲୋକଙ୍କ ମୁହଁରେ ଦାନା ଯୋଗାଉଛନ୍ତି ।

ଅକ୍ଷୟ ପାତ୍ର ଫାଉଣ୍ଡେସନ୍ ପକ୍ଷରୁ, ଅସହାୟ ଏବଂ ଭୋକରେ ଥିବା ଲୋକଙ୍କ ପାଖରେ ଖାଦ୍ୟସାମଗ୍ରୀ ପହଂଚାଇବାର କାର୍ଯ୍ୟ କରାଯାଉଛି । ତେବେ ଏହି ଫାଉଣ୍ଡେସନରେ କାମ କରୁଥିବା କର୍ମଚାରୀ, କାଲି ଯାଏଁ ଖାଦ୍ୟ ପାଇଁ ସଂଘର୍ଷ କରୁଥିଲେ । କିନ୍ତୁ ଆଜି ଏମାନେ ଭୋକଉପାସରେ ଦିନ କାଟୁଥିବା ଅସହାୟଙ୍କ ପାଇଁ ମସିହା ସାଜିଛନ୍ତି । କରୋନା ଭଳି ସଙ୍କଟ ସମୟରେ ଏମାନେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଭୋକିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ।

ଦକ୍ଷତା ବିକାଶ ଏବଂ ଜୀବିକା ବିକାଶ ନିଗମ ଗତ ଜାନୁଆରୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ବେଗର ଫ୍ରି ସିଟି ଅର୍ଥାତ ଭିକାରୀମୁକ୍ତ ସହର । ସେମାନଙ୍କୁ ରୋଷେଇ କରିବାର ତାଲିମ ଦିଆଯାଇଥିଲା । ଏହି ସମୟରେ ସେମାନଙ୍କୁ ଖାଇବା ରହିବା ସହିତ ଦିନକୁ ୨୨୫ ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରାଯାଉଥିଲା । ଆଉ ଏହି କାରଣରୁ ସେମାନେ ଏବେ ମହାମାରୀ ବେଳେ ଅସହାୟଙ୍କୁ ମାଗଣା ସେବା ଯୋଗାଇବା ପାଇଁ ସକ୍ଷମ ହୋଇପାରିଛନ୍ତି ।

କରୋନା ସଙ୍କଟ ବେଳେ ଅସହାୟ ଏବଂ ଭୋକିଲାଙ୍କ ପେଟ ପୂରାଇ ସମସ୍ତଙ୍କ ମନ ଜିଣିପାରିଛନ୍ତି ଏମାନେ । ଭୋକିଲାର କଷ୍ଟ ଏମାନଙ୍କଠୁ କିଏବା ଅଧିକ ଜାଣିପାରିବ । କାହିଁକି ଭୋକରେ ଏମାନେ ବି ଶୋଇଛନ୍ତି, କଷ୍ଟରେ ଜୀବନ ଜିଇଁଛନ୍ତି । ଆଉ ସେଇଥିପାଇଁ ତ, ଯେମିତି ଆଉ କେହି ସେମିତି କଷ୍ଟ ନପାଆନ୍ତୁ, ସେଥିପାଇଁ ଭୋକିଲାଙ୍କ ପାଖରେ ମାଗମାରେ ଖାଦ୍ୟ ପହଂଚାଇଦେଉଛନ୍ତି ।