କନକ ବ୍ୟୁରୋ: ନୂଆବର୍ଷକୁ ନିଆରା ଢଙ୍ଗରେ ସ୍ୱାଗତ କଲେ ଖିଲାଡି ଷ୍ଟାର ଅକ୍ଷୟ କୁମାର । ଆଧାତ୍ମିକ ଉପାୟରେ ଅକ୍ଷୟ କୁମାର ନୂଆବର୍ଷର ନୂଆ ସକାଳକୁ ସ୍ୱାଗତ କରିଛନ୍ତି । ତେବେ ଆପଣ ସମସ୍ତେ ଜାଣିଥିବେ, ଅନ୍ୟ ବଲିଉଡ୍ ଅଭିନେତାଙ୍କ ଅପେକ୍ଷା ଅକ୍ଷୟ କୁମାର ବହୁତ ଜଲଦି ସକାଳୁ ଉଠିଥାନ୍ତି । ଖାଲି ସେତିକି ନୁହେଁ, ସେ ତାଙ୍କର ସ୍ୱାସ୍ଥ୍ୟ ଓ ଫିଟନେସ୍ ପ୍ରତି ମଧ୍ୟ ବେଶ ଗୁରୁତ୍ୱ ଦେଇଥାନ୍ତି । ଏପରି ସମୟରେ ୧ ତାରିଖ ସକାଳୁ ସେ ଗାୟତ୍ରୀ ମନ୍ତ୍ରର ଉଚ୍ଚାରଣ ସହିତ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।
ବର୍ତ୍ତମାନ ଅକ୍ଷୟ କୁମାର ନିଜ ପତ୍ନୀ ଟ୍ୱିଙ୍କଲ୍ ଖାନ୍ନା ଓ ଝିଅ ନିତାରଙ୍କ ସହ ମାଲଦ୍ୱୀପରେ ଛୁଟି ମନାଉଛନ୍ତି । ଏହି ସମୟରେ ଅକ୍ଷୟ ସମୁଦ୍ର କୂଳରେ ବୁଲୁଥିବା ଅନେକ ସୁନ୍ଦର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ଅକ୍ଷୟ ନିଜେ ସେଆର୍ କରିଥିବା ଏହି ଭିଡିଓରେ ସେ ଏକ କଟେଜ୍ ବାହାରେ ଛିଡା ହୋଇଥିବା ଦେଖିବାକୁ ମିଳୁଛି । ଏବଂ ସୂର୍ଯ୍ୟଙ୍କ ଆଡକୁ ମୁହଁ କରି ସେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରୁଛନ୍ତି । ତେବେ ଇନଷ୍ଟାଗ୍ରାମରେ ସେଆର୍ କରାଯାଇଥିବା ଏହି ଭିିଡିଓକୁ ଅନେକ ଲୋକ ପସନ୍ଦ କରିଛନ୍ତି ।
View this post on Instagram
ଅକ୍ଷୟ କୁମାରଙ୍କ ଫ୍ୟାନ୍ସମାନେ ତାଙ୍କ ଷ୍ଟାରଙ୍କର ଏଭଳି ନୂଆବର୍ଷ ଶୁଭେଚ୍ଛାକୁ ପ୍ରଂଶସା କରିଛନ୍ତି । ତେବେ ସୂଚନାଯୋଗ୍ୟ ଯେ, ନିଜର ବ୍ୟସ୍ତ ବହୁଳ ସମୟ ଭିତରେ ଅକ୍ଷୟ ଏବେ ମାଲଦ୍ୱୀପରେ ପତ୍ନୀ ଓ ଝିଅଙ୍କ ସହ ଛୁଟି ମନାଉଛନ୍ତି । ଆଉ ନୂଆବର୍ଷକୁ ନିଆରା ଡଙ୍ଗରେ ସ୍ୱାଗତ କରି ଏବେ ଅକ୍ଷୟ ଚର୍ଚ୍ଚାରେ ।