କନକ ବ୍ୟୁରୋ : ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ନିର୍ମାଣ ପାଇଁ ଧନସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଯେଉଁ ଅଭିଯାନରେ ସାମିଲ ହେବା ସହ ଲୋକେ ନିଜ କ୍ଷମତା ଅନୁସାରେ ଦାନ କରୁଛନ୍ତି । ଆଉ ଏହି ତାଲିକାରେ ଯୋଡି ହୋଇଛନ୍ତି ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର । ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଦାନ କରିବା ସହ ଭିଡ଼ିଓ ଜାରି କରି ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଅପିଲ କରିଛନ୍ତି ଅକ୍ଷୟ ।
ଟ୍ୱିଟରରେ ଅକ୍ଷୟ ସେୟାର କରିଥିବା ଭିଡ଼ିଓରେ ଲେଖିଛନ୍ତି ଯେ, ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ବହୁତ ଆନନ୍ଦର ବିଷୟ । ଏବେ ଏହି ନିର୍ମାଣରେ ଆମର ଯୋଗାଦାନର ସମୟ ଆସିଛି । ମୁଁ ଏହାର ଆରମ୍ଭ କରି ସାରିଛି, ଆଶା ଅଛି ଆପଣ ମଧ୍ୟ ଏହି ଅଭିଯାନରେ ସାମିଲ ହେବେ । ଏହାସହ ଭିଡ଼ିଓରେ ନିଜ ଝିଅକୁ ରାମସେତୁ ବାବଦରେ କହିଥିବା କାହାଣୀ ମଧ୍ୟ ଉଲ୍ଲେଖ କରିଥିଲେ । ଆଉ ଏହାସହ ଲୋକ ମାନଙ୍କୁ ମଧ୍ୟ ମନ୍ଦିର ନିର୍ମାଣ ପାଇଁ ନିଜ ସକ୍ଷମ ଅନୁଯାୟୀ ସହାୟତା କରିବାକୁ ଅପିଲ କରିଥିଲେ ଅକ୍ଷୟ । ଏହି ମନ୍ଦିର ନିର୍ମାଣ ସହ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜୀବନଶୈଳୀ ଓ ସନ୍ଦେଶକୁ ନେଇ ଆଗକୁ ବଢିବାକୁ ଭବିଷ୍ୟତ ପିଢୀକୁ ପ୍ରେରଣା ମିଳୁ ବୋଲି କହିଛନ୍ତି ଅକ୍ଷୟ ।
बहुत खुशी की बात है कि अयोध्या में हमारे श्री राम के भव्य मंदिर का निर्माण शुरू हो चूका है...अब योगदान की बारी हमारी है l मैंने शुरुआत कर दी है, उम्मीद है आप भी साथ जुड़ेंगे l जय सियाराम 🙏🏻 pic.twitter.com/5SvzgfBVCf
— Akshay Kumar (@akshaykumar) January 17, 2021
ରାମ ମନ୍ଦିର ନିର୍ମାଣ ପାଇଁ ଚାଲିଥିବା ଅଭିଯାନକୁ ଜାନୁଆରୀ ୧୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆରମ୍ଭ କରିଥିଲେ । ରାମ ମନ୍ଦିର ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ଦାନ ଦେବା ସହ ଏହି ଅଭିଯାନକୁ ଆରମ୍ଭ କରିଥିଲେ । ଏହାପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଂସଦ, ବଡ ବଡ ଶିଳ୍ପପତି ଏପରିକି ସାଧାରଣ ଲୋକେ ମଧ୍ୟ ନିଜ କ୍ଷମତା ଅନୁସାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦାନ ଦେଉଛନ୍ତି ।