ଲୋକସଭା ନିର୍ବାଚନରେ ଫୋକସରେ ଅଭିନେତା ! ବିଜେପିରୁ ଲଢିପାରନ୍ତି ଖିଲାଡି କିଙ୍ଗ ଅକ୍ଷୟ କୁମାର ଓ ଅକ୍ଷୟ ଖାନ୍ନା ।

430

ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକର ଫୋକସରେ ଅଛନ୍ତି ଅଭିନେତା ଓ ଅଭିନେତ୍ରୀ । ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ୨୦୧୯ ଲୋକସଭା ନିର୍ବାଚନ ଲଢିପାରନ୍ତି ବୋଲି ଏବେ ଖୁବ୍ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁଯାୟୀ ଅକ୍ଷୟ କୁମାର ଏଥର ନୂଆଦିଲ୍ଲୀର ଚାନ୍ଦିନୀଚୌକ୍ ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟି ଟିକେଟରେ ନିର୍ବାଚନ ଲଢିପାରନ୍ତି। ଏ ନେଇ ଭାଜପାର ଶୀର୍ଷ ନେତାମାନେ ଅକ୍ଷୟ କୁମାରଙ୍କ ସହ କଥାବାର୍ତ୍ତା ଚଳାଇଥିବା କୁହାଯାଉଛି ।

ଏହି ଆସନଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଥିବାର ଏଠାରୁ ସାସଂଦ ମୀନାକ୍ଷୀ ଲେଖିଙ୍କ ବଦଳରେ ଅକ୍ଷୟ କୁମାରଙ୍କୁ ଟିକେଟ୍ ଦେବାକୁ ଚାହୁଁଛି ଭାରତୀୟ ଜନତା ପାର୍ଟି । ତେବେ ଏ ସଂପର୍କରେ ଦଳର ନେତାମାନେ ସିଧାସଳଖ କିଛି କହୁନାହାନ୍ତି । ପୂର୍ବରୁ ଅକ୍ଷୟ କୁମାର ଏକାଧିକ ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଅନ୍ୟପକ୍ଷରେ ଦିବଙ୍ଗତ ଅଭିନେତା-ରାଜନେତା ବିନୋଦ ଖାନ୍ନାଙ୍କ ସୁପୁତ୍ର ତଥା ଜଣାଶୁଣା ଅଭିନେତା ଅକ୍ଷୟ ଖାନ୍ନା ଏଥର ନିଜ ପିତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ପଞ୍ଜାବର ଗୁରୁଦାସପୁରରୁ ଭାଜପା ଟିକେଟରେ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ଅକ୍ଷୟ ଖାନ୍ନା ପ୍ରସ୍ତୁତ ଥିବା ବି କୁହାଯାଉଛି ।