କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟା ରାମମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ସାରା ଦେଶରେ ଅକ୍ଷତ କଳସ ଯାତ୍ରା କରି ମନ୍ଦିର ପ୍ରତିଷ୍ଠାରେ ସାମିଲ ପାଇଁ ନିମନ୍ତ୍ରଣ ଦିଆଯାଉଛି । ଏହି କଳସ ଯାତ୍ରା ଓଡ଼ିଶାରେ ପହଂଚିଛି । ଦେଶବ୍ୟାପୀ ୭ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଜାନୁୟାରୀ ୧ରୁ ୧୫ରୁ ତାରିଖ ଯାଏଁ ସାରା ଓଡିଶାର ଲୋକଙ୍କୁ ମନ୍ଦିର ପ୍ରତିଷ୍ଠାରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯିବ ।

ଶ୍ରଦ୍ଧାଳୁଙ୍କ ଜୟଶ୍ରୀରାମ ନାରାବାଜି । ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶରେ ରାମଭକ୍ତଙ୍କ ଗହଣରେ ରାଜଧାନୀ ରାସ୍ତାରେ ଚାଲିଛି ଅକ୍ଷତ କଳସ ଯାତ୍ରା । ଅଯୋଧ୍ୟାରେ ପ୍ରତିଷ୍ଠା ହେବ ରାମଲଲାଙ୍କ ଭବ୍ୟ ମନ୍ଦିର । କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ଜନ୍ମଭୂମୀ ଅଯୋଧ୍ୟାରେ ଜାନୁୟାରୀ ୨୨ ତାରିଖରେ ପ୍ରତିଷ୍ଠା ହେବାକୁ ଯାଉଛି । ଏଣୁ ସାରା ଦେଶରେ ଅକ୍ଷତ କଳସ ଯାତ୍ରା କରି ମନ୍ଦିର ପ୍ରତିଷ୍ଠାରେ ସାମିଲ ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ ଦିଆଯାଉଛି । ଭୁବନେଶ୍ୱରରେ ଅଯୋଧ୍ୟା ତୀର୍ଥ କ୍ଷେତ୍ରରୁ ଆସିଥିବା ଅକ୍ଷତ କଳସ ପହଂଚିବା ପରେ ଶୋଭାଯାତ୍ରାରେ ସହର ସାରା ବୁଲାଯାଇଛି ।

ଅପରାହ୍ଣ ୪ଟା ୨୦ରେ ହଂସପାଳ ଦେଇ ରସୁଲଗଡରେ ପହଂଚିଥିଲା ଅକ୍ଷତ କଳସ ଯାତ୍ରା । ଏହାପରେ ଅକ୍ଷତ କଳସ ଯାତ୍ରା ବମିଖାଲ, ଝାରପଡା, କଳ୍ପନା ଛକ, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ ଛକ, ରାଜ୍ୟ ବିଜେପି କାର୍ଯ୍ୟାଳୟ, ରାମମନ୍ଦିର ପରିସର, ଏଜି ଛକ, ଗଭର୍ଣ୍ଣର ହାଉସ ଛକ, ଗୋପବନ୍ଧୁ ଛକ ଦେଇ ଜୟଦେବ ପାଠାଗାରରେ ପହଂଚିଛି  । ଜାନୁୟାରୀ ୧ରୁ ୧୫ରୁ ତାରିଖ ଯାଏଁ ସାରା ଓଡିଶାର ଲୋକଙ୍କୁ ଅକ୍ଷତ ଓ ରାମାଲଲାଙ୍କ ଫଟୋ ଦେଇ ମନ୍ଦିର ପ୍ରତିଷ୍ଠାରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯିବ ।

ଅଯୋଧ୍ୟାରେ ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠା ସମାରୋହ ପାଇଁ ୩ ହଜାର ଭିଭିଆଇପିଙ୍କ ସମେତ ୭ ହଜାର ମାନ୍ୟଗଣ୍ୟ ଅତିଥୀଙ୍କୁ ନିମନ୍ତ୍ରଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଥମେ ନିମନ୍ତ୍ରଣ ଦିଆଯାଇଛି । ଏଥିରେ ବଲିଉଡର ବିଗ ବି ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଆସା ଭୋଁସେଲଙ୍କ ସମେତ ରାମାୟଣରେ୍ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିୟା ଓ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କୁ ନିମନ୍ତ୍ରଣ ଦିଆଯାଇଛି । ସେହିପରି କ୍ରିକେଟର ସଚ୍ଚିନ ତେନ୍ଦୁଲକର, ବିରାଟ କୋହଲି, ଉଦ୍ୟୋଗପତି ମୁକେଶ ଅମ୍ବାନୀ, ରତନ ଟାଟା, ଗୌତମ ଅଡାନୀ, ଯୋଗ ଗୁରୁ ବାବା ରାମଦେବ, ଆରଏସଏସ ମୁଖ୍ୟ ମହୋନ ଭାଗବତ ପ୍ରମୁଖ ସାମିଲ ହେବେ । ଏହାଛଡା ରାମ ମନ୍ଦିର ଆନ୍ଦୋଳନରେ ପ୍ରାଣ ହରାଇଥିବା ପରିବାର ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିବା ସୂଚନା ରହିଛି ।