ବିବାଦୀୟ ଆକ୍ସନକୁ ନେଇ ଫସିଲେ ଶ୍ରୀଲଙ୍କା ସ୍ପିନ୍ ବୋଲର । ଅକିଲ ଧନଞ୍ଜୟଙ୍କୁ ବର୍ଷକ ପାଇଁ ବ୍ୟାନ କଲା ଆଇସିସି

ଖେଳିପାରିବେନି କୌଣସି ଅନ୍ତର୍ଜାତୀୟ କ୍ରିକେଟ୍

313

କନକ ବ୍ୟୁରୋ: ଶ୍ରୀଲଙ୍କା ସ୍ପିନ୍ ବୋଲର ଅକିଲା ଧନଞ୍ଜୟ ବର୍ଷକ ପାଇଁ କ୍ରିକେଟରୁ ବ୍ୟାନ୍ । ବିବାଦୀୟ ଆକ୍ସନକୁ ନେଇ ଧନଞ୍ଜୟ ଉପରେ ଏହି ବ୍ୟାନ ଲଗାଇଛି ଆଇସିସି । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଏକ ବିବୃତି ଜାରି କରି ଏପରି ନିଷ୍ପତ୍ତି ନେଇଛି । ଧନଞ୍ଜୟଙ୍କ ବୋଲିଂ ଆକ୍ସନକୁ ଦେଖିବା ପରେ ସନ୍ଦେହ ଆସିଥିଲା । ଅଭିଯୋଗର ତଦନ୍ତ କରିବାକୁ ଯାଇ ଧନଞ୍ଜୟଙ୍କ ବୋଲିଂ ଆକ୍ସନକୁ ସମୀକ୍ଷା କରିଥିଲା । ଏହା ପରେ ତାଙ୍କୁ ବର୍ଷକ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ କରିଛି ଆଇସିସି । ନ୍ୟୁଜିଲାଣ୍ଡ ବିପକ୍ଷରେ ଅଗଷ୍ଟ ୧୪ରୁ ୧୮ ତାରିଖ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଧନଞ୍ଜୟଙ୍କ ବୋଲିଂ ଆକ୍ସନକୁ ନେଇ ପ୍ରଥମେ ଫିଲ୍ଡ ଅମ୍ପାୟାର ସନ୍ଦେହ ପ୍ରକଟ କରିଥିଲେ ।

ଏହାପରେ ୨୯ ଅଗଷ୍ଟରେ ଚେନ୍ନାଇରେ ଧନଞ୍ଜୟଙ୍କ ବୋଲିଂ ଆକ୍ସନକୁ ନେଇ ଯାଂଚ କରାଯାଇଥିଲା । ଯେଉଁଥିରେ ଜଣାପଡିଥିଲା ଏହି ସିଂହଳି ସ୍ପିନ୍ ବୋଲରଙ୍କ ବୋଲିଂ ଆକ୍ସନ ତ୍ରୁଟିପୂର୍ଣ୍ଣ । ଅକିଲା ଧନଞ୍ଜୟଙ୍କୁ ଏହା ପୂର୍ବରୁ ମଧ୍ୟ ୨୦୧୮ ଡିସେମ୍ୱରରେ ତ୍ରୁଟିପୂର୍ଣ୍ଣ ବୋଲିଂ ଆକ୍ସନକୁ ନେଇ ସତର୍କ କରାଯାଇଥିଲା । ଏଥିରେ ସୁଧାର ଆଣିବା ପରେ ୨୦୧୯ ଫେବ୍ରୁଆରୀରେ ତାଙ୍କୁ ବୋଲିଂ ସୁଯୋଗ ଦିଆଯାଇଥିଲା । ହେଲେ ଗତ ଅଗଷ୍ଟ ମାସରେ ପୁଣି ଅଭିଯୋଗ ଆସିବା ପରେ ଆଇସିସି ତାଙ୍କ ଉପରେ ବର୍ଷକ ପାଇଁ ବ୍ୟାନ୍ ଲଗାଇଛି । ଏହି ବ୍ୟାନ୍ ଲାଗିବା ପରେ ବର୍ଷକ ପାଇଁ ଅକିଲା ଧନଞ୍ଜୟ କୌଣସି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଖେଳିପାରିବେ ନାହିଁ ।