କନ୍ନୌଜ ଆସନରୁ ଲଢିବେ ଅଖିଳେଶ ଯାଦବ । ଆସନ୍ତାକାଲି ଭରିବେ ନାମାଙ୍କନ । ୨୦୧୯ରେ ସପା ଗଡରୁ ହାରିଯାଇଥିଲେ ଅଖିଳେଶଙ୍କ ପତ୍ନୀ ।

170

କନକ ବ୍ୟୁରୋ: ଶେଷରେ ବଦଳିଲା ନିଷ୍ପତ୍ତି, କନ୍ନୌଜରୁ ଲୋକସଭା ନିର୍ବାଚନ ଲଢିବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଏନେଇ ଦଳର ମହାସଚିବ ତଥା ରାଜ୍ୟସଭା ସାଂସଦ ରାମଗୋପାଳ ଯାଦବ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅଖିଳେଶ ଯାଦବ କନ୍ନୌଜରୁ ହିଁ ନିର୍ବାଚନ ଲଢିବେ । ଆସନ୍ତା ଏପ୍ରିଲ ୨୫ ତାରିଖ ଦ୍ୱିପହରରେ ସେ ନାମାଙ୍କନ ଦାଖଲ କରିବେ ।
ଏହାପୂର୍ବରୁ କନ୍ନୌଜ ଆସନ ପାଇଁ ସମାଜବାଦୀ ପାର୍ଟି ତେଜ ପ୍ରସାଦଙ୍କ ନାଁ ଘୋଷଣା କରିଥିଲା । ହେଲେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିରୋଧ ହେବାରୁ ଶେଷରେ ନିଜ ପାରମ୍ପରିକ ଆସନରୁ ନିଜେ ଲଢିବା ନେଇ ଅଖିଳେଶ ନିଷ୍ପତ୍ତି ନେଇଛନ୍ତି ।

ତେଜପ୍ରସାଦଙ୍କୁ ପ୍ରାର୍ଥୀ କରିବା ପରେ, କନ୍ନୌଜରୁ ଏକ ୟୁନିଟ୍ ଏହାର ବିରୋଧ କରିଥିଲା । ଏପରିକି ସମାଜବାଦୀ ପାର୍ଟିର କିଛି ନେତା ଅଖିଳେଶଙ୍କୁ ଭେଟିଥିଲେ । ସେମାନେ କନ୍ନୌଜ ଆସନରୁ ଅଖିଳେଶଙ୍କ ଲଢିବା ନେଇ ଦାବି କରିଥିଲେ । ଏହାସହ ତାଙ୍କର ଅସନ୍ତୋଷ ମଧ୍ୟ ଜାହିର କରିଥିଲେ । ଆଉ ଶେଷରେ ସମର୍ଥକଙ୍କ କଥା ରଖି, ଏହି ଆସନରୁ ଲଢିବା ନେଇ ଅଖିଳେଶ ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ସମାଜବାଦୀ ପାର୍ଟିର ଗଡ ରହିଆସିଥିବା କନ୍ନୌଜ ଆସନରୁ ପ୍ରଥମ ସାଂସଦ ରହିଥିଲେ ରାମମନୋହର ଲୋହିଆ । ୧୯୬୭ ମସିହାରେ ଏହି ଆସନରୁ ସେ ସୋସିଆଲିଷ୍ଟ ପାର୍ଟିରୁ ନିର୍ବାଚନ ଲଢି ବିଜୟୀ ହେଇଥିଲେ । ଏହାପରେ ମୁଲାୟାମ୍ ସିଂହଙ୍କ ପରିବାର ଏହି ସିଟ ଉପରେ ନିଜର ଦବଦବା ରଖିଥିଲା । ୧୯୯୮ ମସିହାରେ ସମାଜବାଦୀ ପାର୍ଟି ଟିକେଟରୁ ପ୍ରଦୀପ ଯାଦବ ଏଠାରୁ ନିର୍ବାଚିତ ହେଇଥିଲେ । ୧୯୯୯ ମସିହା ଲୋକସଭା ନିର୍ବାଚନରେ ମୁଲାୟାମ ସିଂହ ଯାଦବ ଏଠାରୁ ସାଂସଦ ଭାବେ ନିର୍ବାଚିତ ହେଇଥିଲେ ।

ମୁଲାୟାମ ସିଂହ ଏହି ସିଟ୍ ଛାଡିବା ପରେ ଉପ-ନିର୍ବାଚନରେ ଅଖିଳେଶ ଯାଦବ ଏଠାରୁ ସାଂସଦ ହେଇଥିଲେ । ୨୦୧୯ରେ ଡିମ୍ପଲ ଯାଦବ ଏଠାରୁ ହାରିବା ପୂର୍ବରୁ ଏହି ସିଟ୍ ମୁଲାୟାମଙ୍କ ପରିବାର ପାଖରେ ରହିଥିଲା । ତେବେ ୨୦୧୯ରେ ବିଜେପି ପ୍ରାର୍ଥୀ ସୁବ୍ରତ ପାଠକ ଏହି ଆସନରୁ ବିଜୟୀ ହେଇଥିଲେ ଏବଂ ଅଖିଳେଶଙ୍କ ପତ୍ନୀ ଡିମ୍ପଲ ନିର୍ବାଚନରେ ପରାଜୟ ଭୋଗିଥିଲେ ।