‘ଯେଉଁମାନେ ଚାଷୀଙ୍କୁ ଚକଟି ପାରନ୍ତି, ସେମାନେ ସମ୍ବିଧାନକୁ ମଧ୍ୟ ଚକଟି ପାରିବେ’

141

କନକ ବ୍ୟୁରୋ: “ଯେଉଁ ଲୋକ ଶାସନରେ ଅଛନ୍ତି, ତାଙ୍କର କାରନାମା ଲଖୀମପୁର ଦେଖିଲା । ଯେଉଁଠି କୃଷକମାନଙ୍କ ଉପରେ ଟାୟାର ଚଢିଗଲା, କୃଷକମାନଙ୍କୁ ଚପେଇ ଦିଆଗଲା । ତେବେ ଲଖୀମପୁରରେ କୃଷକଙ୍କ ସହିତ ଆଇନ୍ କାନୁନକୁ ମଧ୍ୟ ଚାପି ଦିଆଗଲା । ଯେଉଁ ଲୋକ ଆଇନ୍ କାନୁନକୁ ଏମିତି ଚପେଇ ଦିଅନ୍ତି, ସେମାନେ ସମ୍ବିଧାନର ମଧ୍ୟ କିଛି ବି କରିପାରିବେ”, ରବିବାର ଏଭଳି ଢଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ।

ଉତ୍ତରପ୍ରଦେଶ ଲଖୀମପୁର ହିଂସାକାଣ୍ଡ ଘଟଣାକୁ ନେଇ ଏବେ ରାଜନୀତି ସରଗରମ । ବିରୋଧୀମାନେ ଏହି ଘଟଣାକୁ ନେଇ ଶାସକ ଦଳକୁ ଘେରୁଥିବାବେଳେ, ଆଜି ଏହି ମାମଲାରେ ବିଜେପିକୁ କଟାକ୍ଷ କରିଛନ୍ତି ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ । ସହାରନପୁରରେ ଏକ ରାଲିକୁ ସମ୍ବୋଧିତ କରି ଏପରି କହିଛନ୍ତି ଅଖିଳେଶ । ତେବେ ଖାଲି ସେତିକି ନୁହେଁ, ଅଖିଳେଶ ଆହୁରି ମଧ୍ୟ କହିଛନ୍ତି ଯେ, ଲଖୀମପୁର ହିଂସାକାଣ୍ଡ ପରେ କୃଷକମାନଙ୍କୁ ମବାଲି ବୋଲି କୁହାଯାଉଛି । ଏମାନେ ଚାହିଁଲେ କୃଷକମାନଙ୍କୁ ଆତଙ୍କବାଦୀ ମଧ୍ୟ କହିଦେବେ । ତେବେ ବିଜେପି କୃଷକମାନଙ୍କୁ କେତେ ଅପମାନିତ କରିଛି ତାହା ସମସ୍ତେ ଜାଣିଛନ୍ତି । ହେଲେ କୃଷି ଆଇନ୍ ରଦ୍ଦ ନହେବା ପର୍ଯ୍ୟନ୍ତ ଚାଷୀମାନେ ପଛକୁ ହଟିବେ ନାହିଁ ବୋଲି ସେ କହିଛନ୍ତି ।

ଆସନ୍ତାବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅଛି । ଯେଉଁଠି ସମାଜବାଦୀ ପାର୍ଟି ଅଖିଳେଶଙ୍କ ନେତୃତ୍ୱରେ ନିର୍ବାଚନ ଲଢିବ । ତେଣୁ ବିଜେପିକୁ ଟକ୍କର ଦେବାକୁ ଯାଇ ଦଳ ଏବେଠୁ ରଣନୀତି ପ୍ରସ୍ତୁତ କରୁଛି । କୃଷି ଆଇନକୁ ନେଇ ଏବେ ଶାସକ ବିଜେପି ବ୍ୟାକଫୁଟରେ ଥିବାବେଳେ ଅଖିଳେଶ ଏହି ପ୍ରସଙ୍ଗରେ ଚାଷୀଙ୍କୁ ସାଥ୍ ଦେଇଛନ୍ତି । ତା ସହିତ ଉତ୍ତରପ୍ରଦେଶର ଲଖମୀପୁର ଘଟଣା ମଧ୍ୟ ଏବେ ଶାସକ ଦଳ ପାଇଁ ଅଡୁଆ ହୋଇଛି । ଅଖିଳେଶ ଲଗାତାର ଏହି ପ୍ରସଙ୍ଗରେ ମୁହଁ ଖୋଲିବା ସହିତ ତୁରନ୍ତ ସମ୍ପୃକ୍ତ ମନ୍ତ୍ରୀଙ୍କ ବହିସ୍କାର ଦାବି କରିଛନ୍ତି ।

ସେପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଆଜି ବାରଣାସୀ ଗସ୍ତରେ ଅଛନ୍ତି । ଏହି ଗସ୍ତରେ ସେ ଅନ୍ନପୂର୍ଣ୍ଣ ମନ୍ଦିର ଯାଇ ଦର୍ଶନ କରିଛନ୍ତି । ତେବେ ତାଙ୍କର ଏହି ଗସ୍ତ ସହିତ ରାଜନୀତିର କୌଣସି ସମ୍ପର୍କ ନାହିଁ ବୋଲି ପ୍ରିୟଙ୍କା ଗଣମାଧ୍ୟକୁ ଉତ୍ତର ରଖିଛନ୍ତି । ତେବେ କୃଷକଙ୍କ ଆନ୍ଦୋଳନକୁ ନେଇ ପ୍ରଶ୍ନ କରାଯିବାରୁ , ପ୍ରିୟଙ୍କା କହିଛନ୍ତି – କୃଷକ ରାଲିକୁ ଆସନ୍ତୁ ଏବଂ ଦେଖନ୍ତୁ

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶ ଲଖୀମପୁର ଘଟଣାକୁ ନେଇ ଏବେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ବିବାଦ ଘେରରେ ଅଛନ୍ତି । ତାଙ୍କୁ ଏବେ ସୁଦ୍ଧା ପୋଲିସ ଗିରଫ କରିଥିବାବେଳେ, ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ହେଲେ ବିରୋଧୀ କିନ୍ତୁ ଏହି ଘଟଣାରେ ଶାସକ ଦଳକୁ ଦାୟୀ କହି ତାଙ୍କ ଉପରେ ବର୍ଷିବାରେ ଲାଗିଛନ୍ତି ।