କନକ ବ୍ୟୁରୋ: ଅଡୁଆରେ ପଡିପାରନ୍ତି ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ । କରୋନା କାଳରେ ଶତାଧିକ ଲୋକଙ୍କୁ ନେଇ ସଭା ତାଙ୍କୁ ମହଙ୍ଗା ପଡିବାରେ । ଉତ୍ତରପ୍ରଦେଶ ନିର୍ବାଚନ ଯେତେ ଯେତେ ପାଖୋଉଛି, ସେତେ ସେତେ ରାଜନୈତିକ ହଲଚଲ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଉ ଏହାରି ଭିତରେ ଏବେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଭାରତୀୟ ଜନତା ପାର୍ଟି ଛାଡି ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି । ତେବେ ସେ ଦଳରେ ଯୋଗ ଦେଉଥିବା ବେଳେ ଦେଖିବାକୁ ମିଳିଥିବା ଭିଡ ଏବେ ଅଖିଳେଶଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିପାରେ ।

Advertisment

ନିୟମକୁ ଉଲ୍ଲଙ୍ଘନ କରି ଏତେ ସଂଖ୍ୟାରେ ଲୋକ ଏକଜୁଟ୍ ହେବା ଯୋଗୁ ଲକ୍ଷ୍ନୌ ଜିଲ୍ଲାପାଳ ଏବେ ଏହାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଖାଲି ସେତିକି ନୁହେଁ, ଜିଲ୍ଲାଧିକାରୀ ଅଭିଷେକ ପ୍ରକାଶଙ୍କ କହିବା ମୁତାବକ ସମାଜବାଦୀ ପାର୍ଟି ଏହି କାର୍ଯ୍ୟକ୍ରମକୁ ବିନା ଅନୁମତିରେ ଆୟୋଜନ କରିଛି । ତେଣୁ ତୁରନ୍ତ ପୋଲିସ ଟିମକୁ ସପା କାର୍ଯ୍ୟାଳୟକୁ ପଠାଯାଇଛି । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।

ସୂଚନାଯୋଗ୍ୟ ଯେ, ସ୍ୱାମୀ ପ୍ରସାଦ ମୌର୍ଯ୍ୟ କିଛି ବିଧାୟକଙ୍କ ସହିତ ଆଜି ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି । ତେବେ କୋଭିଡ୍ କାଳରେ ଯେତେବେଳେ ନିର୍ବାଚନ କମିଶନ ରାଲି କରିବାକୁ ବାରଣ କରିଛନ୍ତି, ସେପରି ସମୟରେ ଏତେ ସଂଖ୍ୟାରେ ଲୋକ ଏକଜୁଟ୍ କରି ଜଣେ ନେତାଙ୍କୁ ନିଜ ଦଳରେ ସାମିଲ କରିବା ଏବେ ଅଖିଳେଶଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ।