ୟୁପିରେ ଅଲଗା ହେବେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି ! ବିଧାନସଭା ଉପନିର୍ବାଚନ ଅଲଗା ଲଢିବାକୁ ମାୟାବତୀଙ୍କ ଘୋଷଣା

ଏକାକୀ ଲଢିବାକୁ ବି ଅଖିଳେଶଙ୍କ ପ୍ରସ୍ତୁତି

171

କନକ ବ୍ୟୁରୋ: ୟୁପିରେ ଖୁବଶୀଘ୍ର ଭାଙ୍ଗିପାରେ ମହାମେଂଟ । ଅଲଗା ହେବେ ସମାଜବାଦୀ ପାର୍ଟି ଓ ବହୁଜନସମାଜବାଦୀ ପାର୍ଟି । ଏନେଇ ପ୍ରାକ୍ ସୂଚନା ଦେଇଛନ୍ତି ବହୁଜନସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ । ଆଗକୁ ଉତରପ୍ରଦେଶରେ ୧୧ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ ବସପା ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛନ୍ତି ମାୟାବତୀ ।

ଦିଲ୍ଳୀର ଏକ ଦଳୀୟ ବୈଠକରେ ଉଦବୋଧନ ଦେଇ ମାୟାବତୀ ସମସ୍ତ ଦଳୀୟ ବିଧାୟକ ଏବଂ ନବନିର୍ବାଚିତ ସାଂସଦମାନଙ୍କୁ ଏକାକୀ ଉପନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛନ୍ତି । ୨୦୧୯ ଲୋକସଭା ନର୍ବାଚନରେ ବିଜେପିକୁ ମାତ ଦେବା ପାଇଁ ୟୁପିରେ ସପା-ବସପା ମେଂଟ କରିଥିଲେ । କିନ୍ତୁ ମେଂଟ ରଣନୀତି ଅନୁଯାୟୀ ୮୦ ଲୋକସଭା ଆସନରୁ ସପା-ବସପାକୁ ସେତେଟା ଫାଇଦା ମିଳିନାହିଁ ।

ଖାସ୍ କରି ମାୟାବତୀ ସପା ଦ୍ୱାର ଯାଦବ ଭୋଟ ପାଇବେ ବୋଲି ଯେଉଁ ଆଶା ରଖିଥିଲେ ତାହା ପୂରଣ ହେଲାନାହିଁ । ମେଂଟ ସତ୍ୱେ ବସପାକୁ ସେତେଟା ଲାଭ ନମିଳିବାରୁ ମାୟାବତୀ ତାଙ୍କ ନିଷ୍ପତି ବଦଳାଇଦେଇଥିବା ଅନୁମାନ କରାଯାଉଛି । ତେଣୁ ନିର୍ବାଚନ ଜିତିବାକୁ ଅନ୍ୟ ଦଳ ଉପରେ ଭରଷା ନକରି ସଂଗଠନକୁ ଆହୁରି ମଜବୁତ କରିବାକୁ ପଡିବ ବୋଲି କହିଛନ୍ତି ମାୟାବତୀ ।