କନକ ବ୍ୟୁରୋ : ସୋମବାର ୟୁପି ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଶେଷ ହୋଇଛି । ଏବେ ସମସ୍ତେ ୧୦ ତାରିଖରେ ବାହାରିବାକୁ ଥିବା ଫଳାଫଳକୁ ଅପେକ୍ଷା କରିଛନ୍ତି । ଏହା ପୂର୍ବରୁ ଇଭିଏମ୍ ଏବଂ ଏକଜିଟ୍ ପୋଲ୍ ବା ବୁଥ ବାହୁଡା ମତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ।

Advertisment

ଅଖିଳେଶ ଯାଦବ କହିଛନ୍ତି, ଏକଜିଟ୍ ପୋଲ ଜରିଆରେ ବିଜେପି ବିଜୟୀ ହେଉଛି ବୋଲି ଗୋଟିଏ ଧାରଣା ସୃଷ୍ଟି କରାଯାଉଛି । ବରେଲିରେ ଅଳିଆ ଗାଡିରୁ ଇଭିଏମ୍ ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଫିସରୁ ସେଇ ଜିଲ୍ଲାପାଳଙ୍କ ଅଫିସକୁ ଫୋନ୍ କଲ ଆସୁଛି ଯେଉଁଠି ବିଜେପି ପ୍ରାର୍ଥୀ ହାରିବା ସମ୍ଭାବନା ଅଧିକ । ଏହି ସବୁ ସ୍ଥାନରେ ଧୀରେ ଧୀରେ ଭୋଟ୍ ଗଣତି କରି ରାତିରେ ଭୋଟ୍ ଜାଲିଆତି କରିବାକୁ ପ୍ରୟାସ କରାଯାଉଛି ବୋଲି ଅଖିଳେଶ କହିଛନ୍ତି ।

ବନାରସ ଏବଂ ଅଯୋଧ୍ୟାରେ ସମାଜବାଦୀ ପାର୍ଟି ବିଜୟୀ ହେବାକୁ ଯାଉଛି । ତେଣୁ ବିଜେପି ଚିନ୍ତିତ ବୋଲି ଅଖିଳେଶ କହିଛନ୍ତି । ଅଖିଳେଶ କହିଛନ୍ତି, ଏହା ଗଣତନ୍ତ୍ରର ଅନ୍ତିମ ଲଢେଇ । ପ୍ରାର୍ଥୀଙ୍କୁ ନଜଣାଇ ଇଭିଏମକୁ ଅନ୍ୟତ୍ର ନିଆଯାଉଛି । ବିଭିନ୍ନ ସ୍ଥାନରେ ଏପରି ହେଉଛି ବୋଲି ଅଖିଳେଶ ଦାବି କରିଛନ୍ତି । ସେହିପରି ଇଭିଏମ ଗୁଡିକ ବିନା ସୁରକ୍ଷାବଳରେ ନିଆଯାଉଛି । ଏପରି କରି ଭୋଟ୍ ଚୋରି କରାଯାଉଛି ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ।