କନକ ବ୍ୟୁରୋ : ପ୍ରିୟଙ୍କା ଗୋଟିଏ ଘରେ ବନ୍ଦ ହୋଇ ରହିଥିଲେ, ତେଣୁ ସେ ଆମର ସଂଘର୍ଷ କଣ ଦେଖିନାହାନ୍ତି । ଲକ୍ଷ୍ମୀପୁର ହିଂସାକାଣ୍ଡକୁ ନେଇ ରାଜନୀତି ତେଜୁଥିବା ବେଳେ ବିରୋଧୀ ଯୋଗୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏଭଳି ସ୍ଥଳେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ବି ଟାର୍ଗେଟ କରିବାକୁ ପଛାଇନାହାନ୍ତି । ଉଭୟ କଂଗ୍ରେସ ଓ ସମାଜବାଦୀ ପାର୍ଟି ଲକ୍ଷ୍ମୀପୁର ମାମଲାରେ ଚାଷୀଙ୍କୁ ନ୍ୟାୟ ଦେବାକୁ ଦାବି କରୁଥିବା ବେଳେ ପରସ୍ପରର ଗୋଡଟାଣିବା ଆରମ୍ଭ କରିଛନ୍ତି । ଲକ୍ଷ୍ମୀପୁର ହିଂସାକାଣ୍ଡ ମାମଲାରେ ଯୋଗୀ ସରକାର ବ୍ୟାକଫୁଟରେ ଥିବା ବେଳେ କଂଗ୍ରେସ ଓ ସମାଜବାଦୀ ପାର୍ଟି ପରସ୍ପରକୁ ଟାର୍ଗେଟ କରିବା କେଉଁଠି ନା କେଉଁଠି ବିଜେପି ସରକାରକୁ ସୁହାଉଛି ।

Advertisment

ଲକ୍ଷ୍ମୀପୁର ଅଭିମୁଖେ ଯାଉଥିବା ବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ନିଜ ହେପାଜତକୁ ନେଇଥିଲା ଉତ୍ତରପ୍ରଦେଶ ପୋଲିସ । ଆଉ ସେତେବେଳେ ପ୍ରିୟଙ୍କା କହିଥିଲେ, ଲକ୍ଷ୍ମୀପୁରର ଚାଷୀଙ୍କୁ ନ୍ୟାୟ ଦେବାକୁ କଂଗ୍ରେସ ଲଗାତାର ପ୍ରୟାସ କରୁଥିବା ବେଳେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି ସଂଘର୍ଷ କରୁଥିବାର ଦେଖିବାକୁ ମିଳୁନି । ଆଉ ଯେତେବେଳେ ଏହାକୁ ନେଇ ପ୍ରଶ୍ନ କରାଗଲା ସେତେବେଳେ ଅଖିଳେଶ କହିଛନ୍ତି, ସେ ଗୋଟିଏ ଘର ଭିତରେ ବନ୍ଦ ଥିଲେ ତେଣୁ ସଂଘର୍ଷ କଣ ଦେଖିନାହାନ୍ତି ।

ଏହାପୂର୍ବରୁ ପ୍ରିୟଙ୍କାଙ୍କୁ ଯେଉଁଭଳି ନିଜ ହେପାଜତକୁ ପୋଲିସ ନେଇଥିଲା ତାହାକୁ ନେଇ ପ୍ରଶ୍ନ ଉଠାଇଥିଲେ ରାହୁଲ । କୌଣସି ମହିଳାଙ୍କ ସହ ଏଭଳି ବ୍ୟବହାର ଠିକ୍ ନୁହେଁ ବୋଲି କହିଥିଲେ ରାହୁଲ । ଏପରିକି ରାହୁଲ କହିଥିଲେ, ମୁଁ ହୁଏ କି ପ୍ରିୟଙ୍କା ହ୍ରୁଅନ୍ତୁ ଅବା ଆମ ପରିବାରର ଆଉ କେହି ହୁଅନ୍ତୁ । ଆମକୁ ମାରି ଦିଅନ୍ତୁ, ବନ୍ଦୀ କରି ରଖନ୍ତୁ, ପୋତି ଦିଅନ୍ତୁ, ଖରାପ ବ୍ୟବହାର କରନ୍ତୁ । ଆମକୁ ସେଥିରେ ଟିକିଏ ବି ଫରକ ପଡିବନି । କାରଣ ଆମ ପରିବାର ଆମକୁ ଏଭଳି ଶିକ୍ଷା ଦେଇଛି । ମାମଲା ଏବେ ଚାଷୀଙ୍କ ନ୍ୟାୟର, ତେଣୁ ଏହାକୁ ନେଇ ଲଗାତାର ସ୍ୱର ଉଠାଇବୁ । ପ୍ରିୟଙ୍କା ଗାନ୍ଧୀଙ୍କୁ ଗୋଟିଏ ଘର ଭିତରେ ବନ୍ଦ କରି ରଖାଯାଇଛି ସତ କିନ୍ତୁ ଏଠାରେ ବଡ ମୁଦ୍ଦା ହେଉଛି ଚାଷୀଙ୍କୁ ନ୍ୟାୟ ଦେବାର । ଏଭଳି କହି ଯୋଗୀ ସରକାରଙ୍କ ଉପରେ ବର୍ଷିଥିଲେ ରାହୁଲ ।