ଅଖିଳେଶ-ମାୟାବତୀଙ୍କ ମିଶନ ଉତ୍ତର ପ୍ରଦେଶ : ରାଜ୍ୟରେ ୧୮ଟି ମିଳିତ ରାଲି କରିବେ ଦୁଇ ନେତା । ଆସନ୍ତା ୧୮ରେ ମୁଲାୟମଙ୍କ ପାଇଁ ପ୍ରଚାର କରି ଅଭିଯାନ ଆରମ୍ଭ କରିବେ ମାୟାବତୀ

63

କନକ ବ୍ୟୁରୋ : ଅଖିଳେଶ-ମାୟାବତୀଙ୍କ ମିଶନ ଉତ୍ତର ପ୍ରଦେଶ । ରାଜ୍ୟରେ ୧୮ଟି ମିଳିତ ରାଲି କରିବେ ଦୁଇ ନେତା । ଉତ୍ତର ପ୍ରଦେଶରେ ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି ମିଳିତ ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସପା ମୁଖ୍ୟ ଅଖିଳେଶ ଓ ବସପା ସୁପ୍ରିମୋ ମାୟାବତୀ ଲୋକସଭା ନିର୍ବାଚନ ପାଇଁ ମିଳିତ ଭାବେ ୧୮ଟି ରାଲି କରିବେ । ମିଳିଥିବା ସୂଚନା ଅନୁସାରେ, ପ୍ରାୟ ସବୁ ଅଂଚଳରେ ମାୟାବତୀ ଓ ଅଖିଳେଶ ମିଳିତ ରାଲି କରିବେ । ପ୍ରଥମ କରି ଏପ୍ରିଲ ୭ତାରିଖ ଦିନ ଦେବବନ୍ଦରେ ମିଳିତ ରାଲି କରିବେ ଅଖିଳେଶ ଓ ମାୟାବତୀ ।

ଉତ୍ତରପ୍ରଦେଶ ରାଜନୀତିରେ ଅଖିଳେଶ ଓ ମାୟାବତୀ କେବଳ ଏକତ୍ରିତ ଭାବେ ରାଲି କରିବେ ତାହା ନୁହେଁ ନିର୍ବାଚନୀ ସାମଗ୍ରୀରେ ମଧ୍ୟ ଏକାଟି ଉଭୟଙ୍କ ଫଟୋ ଦେଖିବାକୁ ମିଳିବ । ପୋଷ୍ଟର, ବ୍ୟାନର, ଟି-ସାର୍ଟ ଓ ଟୋପି ଆଦି ସାମଗ୍ରୀରେ ଉଭୟଙ୍କ ଫଟୋ ଏକାଠି ସ୍ଥାନ ପାଇବ । ଉତ୍ତର ପ୍ରଦେଶରେ ବହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳର ମିଳିତ ଭାବେ ନିର୍ବାଚନୀ ରାଲିରେ ସାମିଲ ହେବେ । ସେପଟେ ଆସନ୍ତା ୧୯ ତାରିଖରୁ ୟୁପି ମୈନପୁରୀରୁ ପ୍ରଚାର ମୈଦାନକୁ ଓହ୍ଲାଇବେ । ମୂଲାୟମଙ୍କ ପାଇଁ ପ୍ରଚାର କରିବେ ମାୟାବତୀ । ମୈନପୁରୀରୁ ସମାଜବାଦୀ ପାର୍ଟିର ସଂରକ୍ଷକ ମୁଲାୟମ ସିଂହ ଯାଦବ ଆଗାମୀ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀ ଅଛନ୍ତି । ୧୯୯୩ ମସିହା ପରେ ମୁଲାୟମଙ୍କ ପାଇଁ ମାୟାବତୀ ପ୍ରଚାର କରିବେ ।