ବିଧାୟକ ପଦ ଛାଡିବେ ଅଖିଳେଶ ଯାଦବ! ସାଂସଦ ଭାବେ ଜାତୀୟ ରାଜନୀତିରେ ଦେଖାଇବେ ଦବଦବା ।

700

କନକ ବ୍ୟୁରୋ : ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ଅଖିଳେଶ ଯାଦବ । ଲୋକସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ଅଖିଳେଶ । କକା ଶିବପାଲ ଯାଦବଙ୍କୁ ବିରୋଧୀ ଦଳ ନେତା ଭାବେ ନୂଆ ଦାୟିତ୍ୱ ଦେଇପାରନ୍ତି ସମାଜବାଦୀ ପାର୍ଟି ମୁଖିଆ ।

ଅଖିଳେଶ ଯାଦବ କରହଲ ଆସନରୁ ଏବେ ବିଧାୟକ ଅଛନ୍ତି । ତେବେ ଚଳିତ ନିର୍ବାଚନରେ କନୌଜ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ତେଣୁ ନିୟମ ଅନୁସାରେ ବିଧାୟକ ଓ ସାଂସଦ ପଦରୁ ଗୋଟିଏ ଅଖିଳେଶଙ୍କୁ ଛାଡିବାକୁ ପଡିବ । ବିଧାୟକ ପଦରୁ ଇସ୍ତଫା ଦେଲେ କରହଲ ଆସନରୁ ତେଜ ପ୍ରତାପ ଯାଦବ ନିର୍ବାଚନ ଲଢିପାରନ୍ତି । ଲୋକସଭାରେ ଉତ୍ତରପ୍ରଦେଶରେ ଦମଦାର ପ୍ରଦର୍ଶନ ପରେ ଅଖିଳେଶ ଯାଦବ ଏବେ ଜାତୀୟ ରାଜନୀତିରେ ନିଜର ଦବଦବା ବଢାଇବାକୁ ଚାହୁଁଛନ୍ତି ।

ଚଳିତ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ତୃତୀୟ ବୃହତ୍ତ ଦଳ ଭାବେ ଉଭା ହୋଇଛି । ଚଳିତ ନିର୍ବାଚନରେ ସମାଜବାଦୀ ପାର୍ଟି ୩୭ ଆସନରେ ବିଜୟ ହାସଲ କରିଛି । ଅନ୍ୟପଟେ ସାଧାରଣ ନିର୍ବାଚନରେ କ୍ଷମତାସୀନ ବିଜେପିକୁ ବଡ ଝଟକା ଲାଗିଛି । ୨୦୧୯ ତୁଳନାରେ ବିଜେପି ୨୯ଟି କମ ଆସନ ପାଇଛି । ୨୦୧୯ରେ ବିଜେପି ୬୨ଟି ଆସନ ପାଇଥିବା ବେଳେ ୨୦୨୪ରେ ବିଜେପିକୁ ମାତ୍ର ୩୩ଟି ଆସନ ମିଳିଛି ।