କନକ ବ୍ୟୁରୋ : ସିଟ୍ ଭାଗବଣ୍ଟାକୁ ନେଇ ଖୁବଶୀଘ୍ର କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ନିଷ୍ପତ୍ତି ହୋଇପାରେ । ଏହା ଭିତରେ ମଙ୍ଗଳବାର କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରାଏବରେଲିରେ ରାହୁଲଙ୍କ ସହ ଯାତ୍ରାରେ ସାମିଲ ହୋଇପାରନ୍ତି ।

ଅଖିଳେଶ ଯାତ୍ରାରେ ସାମିଲ ହେବାକୁ ନେଇ କଂଗ୍ରେସ ମହାସଚିବ କହିଛନ୍ତି, ଆମର ବିଶ୍ୱାସ ଅଛି ଅଖିଳେଶ ଯାତ୍ରାରେ ସାମିଲ ହେବେ । ଏହାପୂର୍ବରୁ ଆପନା ଦଳର ନେତା ପଲ୍ଲବୀ ପଟେଲ ମଧ୍ୟ ରାହୁଲଙ୍କ ଯାତ୍ରାରେ ସାମିଲ ହୋଇଥିଲେ । ସେହିଭଳି ଯାତ୍ରାକୁ ନେଇ ଅଖିଳେଶ କହିଛନ୍ତି, ସମାଜବାଦୀ ପାର୍ଟି ଏହି ଯାତ୍ରାରେ ସାମିଲ ହେବ ଏବଂ ସିଟ୍ ଭାଗବଣ୍ଟାକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହେବ । ୨୦୨୪ ନିର୍ବାଚନ ସମ୍ବିଧାନ ବଞ୍ଚାଇବା ପାଇଁ ଏବଂ ଭାଇଚାରା ସୃଷ୍ଟି କରୁଥିବା ନିର୍ବାଚନ ହେବ ।

ଏହାପୂର୍ବରୁ ମଧ୍ୟ ଅଖିଳେଶ ସ୍ପଷ୍ଟ କରିଥିଲେ ରାଏବରେଲି କିମ୍ବା ଆମେଠିରୁ ଯାତ୍ରାରେ ରାହୁଲଙ୍କ ସହ ରହିବେ । କିନ୍ତୁ ଦୁଇ ଦଳ ମଧ୍ୟରେ ଏଯାଏଁ ସିଟ୍ ଭାଗବଣ୍ଟା ଛିଡୁନଥିବାରୁ ସମାଜବାଦୀ ପାର୍ଟି ଏହି ଯାତ୍ରାରୁ ଦୂରେଇ ରହିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ଯାତ୍ରାରେ ଅଖିଳେଶ ସାମିଲ ହେବା ନେଇ ସୂଚନା ମିଳିଛି । ଗତ ୨୭ ଜାନୁଆରୀରୁ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ସିଟ୍ ଭାଗବଣ୍ଟା ଆଗକୁ ବଢୁନି । ଉତ୍ତରପ୍ରଦେଶରେ କଂଗ୍ରେସକୁ ୧୧ଟି ସିଟ୍ ଦେବାକୁ ସମାଜବାଦୀ ପାର୍ଟି ଘୋଷଣା କରିଥିଲା କିନ୍ତୁ କଂଗ୍ରେସ ୨୦ରୁ ୨୨ଟି ସିଟ୍ ଦାବି କରୁଛି । ଯାହାକୁ ନେଇ ସିଟ୍ ଭାଗବଣ୍ଟାକୁ ନେଇ କୌଣସି ନିଷ୍କର୍ସ ବାହାରି ପାରୁନାହିଁ । କିନ୍ତୁ ଖୁବଶୀଘ୍ର ସିଟ୍ ଭାଗବଣ୍ଟାକୁ ନେଇ ଦ୍ୱନ୍ଦ୍ୱ ଦୂର ହେବ ବୋଲି ଉଭୟ ଦଳ ପକ୍ଷରୁ କୁହାଯାଉଛି ।