କନକ ବ୍ୟୁରୋ : ଚାଷୀ ନେତା ତଥା ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତଙ୍କୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଅଫର । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଚାଷୀ ନେତା ରାକେଶ ଟିକାୟତଙ୍କୁ ଦଳରେ ସାମିଲ ହୋଇ ନିର୍ବାଚନ ଲଢିବାକୁ ଆମନ୍ତ୍ରଣ କରିଛନ୍ତି । ଆଉ ଅଖିଳେଶଙ୍କ ଏଭଳି ଆମନ୍ତ୍ରଣ ପରେ ଉତ୍ତରପ୍ରଦେଶରେ ନିର୍ବାଚନ ମାହୋଲ ସରଗରମ ହୋଇଛି । ଏହାପୂର୍ବରୁ ମେରଠରେ ଅଖିଳେଶ ଯାଦବଙ୍କ ସହ ରାକେଶ ଟିକାୟତଙ୍କ ଫଟୋ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିବାଦ ଦେଖାଯିବା ପରେ ଏହି ପୋଷ୍ଟରକୁ ହଟାଇ ଦିଆଯାଇଥିଲା ।

Advertisment

ଉତ୍ତରପ୍ରଦେଶ ଜୋନପୁରରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମ ପୂର୍ବରୁ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅଖିଳେଶ କହିଥିଲେ, ଯଦି ରାକେଶ ଟିକାୟତ ସମାଜବାଦୀ ପାର୍ଟିରେ ଯୋଗ ଦେବା ନିର୍ବାଚନ ଲଢିବାକୁ ଚାହିଁବେ ତେବେ ଏହାକୁ ଆମେ ସ୍ୱାଗତ କରିବୁ । ତେବେ ଏନେଇ ରାକେଶ ଟିକାୟତ ନିଷ୍ପତ୍ତି ନେବେ, କାରଣ ସେ ଜାଣିଛନ୍ତି ବାସ୍ତବରେ ରାଜନୀତି କଣ? ଏହାଛଡା ଟିକାୟତଙ୍କ ସହ ମୋର ପୂର୍ବରୁ ସର୍ମ୍ପକ ଥିବା କହିଛନ୍ତି ଅଖିଳେଶ । ଗୋଟିଏ ପଟେ ଅଖିଳେଶଙ୍କ ଏହି ବୟାନକୁ ଉତ୍ତରପ୍ରଦେଶ ରାଜନୀତିର ପାରା ଶୀର୍ଷରେ ରହିଛି । କିନ୍ତୁ ଅଖିଳେଶଙ୍କ ବୟାନର ଗୋଟିଏ ଦିନ ପୂର୍ବରୁ ରାକେଶ ଟିକାୟତ ସ୍ପଷ୍ଟ କରିଥିଲେ ଯେ, ଏବେ ରାଜନୀତିକୁ ଆସିବାର ସେମିତି କୌଣସି ଯୋଜନା ନାହିଁ । ତେବେ ଅଖିଳେଶଙ୍କ ଏହି ଆମନ୍ତ୍ରଣକୁ ନେଇ ଟିକାୟତ କଣ କହୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଏହାପୂର୍ବରୁ ଅଖିଳେଶଙ୍କ ସହ ପୋଷ୍ଟରକୁ ନେଇ ଯେଉଁ ବିବାଦ ଦେଖିବାକୁ ମିଳିଥିଲା ତାହାକୁ ନେଇ ଟିକାୟତ କହିଛନ୍ତି, ମୋତେ ପଚାରି ଏହି ପୋଷ୍ଟର ଲଗାଯାଇନଥିଲା । ଏପରିକି କୌଣସି ଦଳ ମୋ ଫଟୋ ବ୍ୟବହାର ନକରନ୍ତୁ ବୋଲି କହିଛନ୍ତି ଟିକାୟତ ।