କନକ ବ୍ୟୁରୋ : ଫେବୃଆରୀ ମାସରେ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଏବେ ସବୁ ରାଜନୈତିକ ଦଳମାନଙ୍କର ଲକ୍ଷ୍ୟ ଉତ୍ତର ପ୍ରଦେଶ ଉପରେ ରହିଛି । ଏଠାରେ ବିଶେଷ ଭାବେ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଏନେଇ ବିଜେପି ସରକାରରେ ଥିବା ବେଳେ ସମାଜବାଦୀ ପାର୍ଟି ଆକର୍ଶଣୀୟ ନିର୍ବାଚନୀ ଇସ୍ତାହାର ଦେଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛି ।
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ରାଷ୍ଟ୍ରୀୟ ଲୋକଦଳର ମୁଖ୍ୟ ଜୟନ୍ତ ଚୌଧୁରୀ ଆଜି ଗାଜିଆବାଦ ଠାରେ ଏକ ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି କି ସମାଜବାଦୀ ପାର୍ଟିର ସରକାର ଆସିଲେ ରାଜ୍ୟର ଗରୀବ ଲୋକଙ୍କ ୧୦ ଟଙ୍କାରେ ପେଟପୂରା ଖାଦ୍ୟ ଯୋଗାଇ ଦିଆଯିବ । ଏହାକୁ ଅଖିଳେଶ ସମାଜବାଦୀ ଥାଳି ନାମରେ ନାମିତ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଉଭୟ ନେତା ବିଜେପି ସରକାର ଉପରେ ବର୍ଷିଥିବା ବେଳେ ଅଖିଳେଶ କହିଥିଲେ କି, ୟୁପିରେ ସମାଜବାଦୀ ପାର୍ଟି ସରକାର ଗଠନ ହେଲେ ଗରିବ ଲୋକଙ୍କୁ ୧୦ ଟଙ୍କାରେ ସମାଜବାଦୀ ଥାଳି ଯୋଗାଇ ଦିଆଯିବ । ଏଥିରେ ଜଣେ ଲୋକ ପେଟଭରି ପୌଷ୍ଟିକ ଆହାର ଭୋଜନ କରିପାରିବ ବୋଲି ସେ କହିଥିଲେ । ଅନ୍ୟପଟେ ଅଖିଳେଶ ପୁଣି ଆଜି ଦୋହରାଇଛନ୍ତି କି, ସରକାରକୁ ଆସିଲେ ରାଜ୍ୟବାସୀଙ୍କୁ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ ।
କେବଳ ସେତିକି ନୁହେଁ ବିଜେପିକୁ ଟାର୍ଗେଟ କରି ଅଖିଳେଶ କହିଛନ୍ତି କି, ବିଜେପି ଦେଶର କୃଷକମାନଙ୍କୁ ଅପମାନିତ କରୁଛି । ବିଜେପି ୮୦ କୋଟି ଲୋକଙ୍କ ରାସନ ଯୋଗାଉଥିବା କଥା କହୁଥିବା ବେଳେ ଅଖିଳେଶ କହିଛନ୍ତି କି ଦେଶରେ ୮୦ କୋଟି ଲୋକଙ୍କୁ ବିଜେପି ବେରୋଜଗାର କରିଛି । ଏହାସହ ଯୋଗୀ ଆଦିତ୍ୟନାଥ ବିଜେପିର ସଦସ୍ୟ ନୁହଁନ୍ତି ବୋଲି ତାଙ୍କୁ ନିଜ ଘର ଗୋରଖପୁର ପଠାଇ ଦିଆଯାଇଥିବା କଥା କହିଛନ୍ତି ।